ହଣ୍ଟର-କିଲର୍‌ ଡ୍ରୋନରୁ ହେଲ୍‌ଫାୟାର ମିସାଇଲ୍‌ ମାଡ଼ କରି ସୁଲେମାନୀଙ୍କୁ ହତ୍ୟା କରିଥିଲା ଆମେରିକା

କାତାର : ଶୁକ୍ରବାରଦିନ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଥିବା ଇରାନୀ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଆଜି ସେହି ଡ୍ରୋନ ଆକ୍ରମଣ ସଂପର୍କରେ ଆଉ କେତେକ ତଥ୍ୟ ଆସିଛି । ଆମେରିକା ନିଜର ହଣ୍ଟର କିଲର ଡ୍ରୋନରୁ ହେଲଫାୟାର ଆର-9-ଏକ୍ସ ନିନଜା ମିସାଇଲ ନିକ୍ଷେପ କରି ସୁଲେମାନୀଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି । ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ଅତ୍ୟନ୍ତ ସଠିକତାର ସହ ଟାର୍ଗେଟକୁ ମାଡ କରିଥାଏ । କିନ୍ତୁ ନିଜର ଟାର୍ଗେଟ ବ୍ୟତୀତ ଏହା ଆଖପାଖ ଅଞ୍ଚଳର କୌଣସି କ୍ଷତି ଘଟାଇନଥାଏ । ହଣ୍ଟର କିଲର ଡ୍ରୋନକୁ କାତାର ସ୍ଥିତ ଆମେରିକାର ସେଣ୍ଟ୍ରାଲ କମାଣ୍ଡରୁ ପ୍ରେରଣ କରାଯାଇଥିଲା । ଅନ୍ୟପକ୍ଷରେ ଇରାନ କହିଛି ଯେ ଏହି ଆକ୍ରମଣ ହେଲିକାପ୍ଟର ଦ୍ୱାରା କରାଯାଇଥିଲା ।

image Credit : millitary & aerospace electronics

ଅନ୍ୟପକ୍ଷରେ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର କଠୋର ଜବାବ ଦିଆଯିବ ବୋଲି ଇରାନର ଧମକ ପରେ ଆମେରିକା ଇରାକରେ ଥିବା ନିଜ ନାଗରିକମାନଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଅତିରିକ୍ତ ୩ ହଜାର ଯବାନ ପଠାଇଛି ଆମେରିକା । ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲି ଖାମିନି ବ୍ରିଗେଡିୟର ଜେନେରାଲ ଇସମାଇଲ କାନିଙ୍କୁ ସୁଲେମାନିଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିଛନ୍ତି । ସେ ମଧ୍ୟ ଆମେରିକା ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ।

ସମ୍ବନ୍ଧିତ ଖବର