କାଶ୍ମୀରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ବିଚ୍ଛିନ୍ନତାବାଦୀ ନେତାଙ୍କୁ ଉଠାଇନେଲା ପୁଲିସ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ଅଧିକ କଠୋର ହୋଇ ଉଠିଛି ପ୍ରଶାସନ । କାଶ୍ମୀରରେ ଚାଲିଥିବା ବିକ୍ଷୋଭକୁ ଉସୁକାଉଥିବା ଅଭିଯୋଗରେ ଆଜି ପୁଲିସ ବିଚ୍ଛିନ୍ନତାବାଦୀ ନେତା ତଥା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲ୍ଲିକଙ୍କୁ ଅଟକ ରଖିଛି । ଏହା ସହିତ ହୁରିୟାତ କନଫରେନ୍ସ ନେତା ମିରଓ୍ଵାଇଜ୍‌ ଉମର ଫାରୁକଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ୟାସିନ ମଲ୍ଲିକଙ୍କୁ ତାଙ୍କର ମାଇସୁମା ସ୍ଥିତ ବାସଭବନରୁ ଗିରଫ କରାଯାଇ କୋଠିବାଗ ପୁଲିସ ଷ୍ଟେସନରେ ରଖାଯାଇଛି । ମିରଓ୍ଵାଇଜ୍‌ଙ୍କୁ ତାଙ୍କର ନିଗନସ୍ଥିତ ବାସଭବନରେ ଅଟକ ରଖାଯାଇଛି । ଅନ୍ୟପକ୍ଷରେ କଠୋରପନ୍ଥୀ ହୁରିୟାତ ନେତା ସୟଦ ଅଲ୍ଲି ଶାହ ଗିଲାନୀଙ୍କୁ ତାଙ୍କର ବାସଭବନରେ ପୂର୍ବରୁ ହିଁ ଗୃହବନ୍ଦୀ କରି ରଖାଯାଇଛି । ବିଚ୍ଛିନ୍ନତାବାଦୀ ନେତାଙ୍କ ଅଟକ ପରେ କାଶ୍ମୀର ଉପତ୍ୟାକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ବିରୋଧ କରିବା ପାଇଁ ବିଚ୍ଛିନ୍ନତାବାଦୀମାନଙ୍କ ପକ୍ଷରୁ ଶ୍ରୀନଗରରେ ବନ୍ଦ ଡକରା ଦିଆଯାଇଛି । ଏହାଫଳରେ ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଦୋକାନ ବଜାର, ସରକାରୀ ଅଫିସ, ଯାନବାହାନ ଚଳାଚଳ ବ୍ୟାହତ ହୋଇଛି ।

କାଶ୍ମୀରରେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଲୋକମାନଙ୍କୁ କୌଣସି କ୍ଷମା ଦିଆଯିବ ନାହିଁ ବୋଲି ଗତକାଲି ବିଜେପି ନେତା ରାମମାଧବ କହିଥିଲେ ।

ସମ୍ବନ୍ଧିତ ଖବର