ୱାସିଂଟନ: ୱାସିଂଟନରେ ଜଣେ ବର୍ବର ସ୍ବାମୀ ସ୍ତ୍ରୀକୁ ଛାତିରେ ଛୁରି ଭୁଷି, ଡକ୍ଟ-ଟେପ୍ରେ ହାତଗୋଡ଼ ଓ ପାଟିକୁ ବାନ୍ଧି ନିଜ ଘର ପଛପଟ ଜଙ୍ଗଲରେ ଗାତଖୋଳି ଜିଅନ୍ତା ପୋତିଦେବା ପରେ ସ୍ତ୍ରୀ କୌଣସି ପ୍ରକାରେ ଅଗଭୀର କବରରୁ ବାହାରିବାରେ ସକ୍ଷମ ହେବା ଘଟଣା ଚର୍ଚ୍ଚାରେ ରହିଛି। ମହିଳା ଜଣକ ସ୍ବାମୀଙ୍କ ଦ୍ବାରା ଆକ୍ରମଣର ଶିକାର ହେବା ପରେ ନିଜ ଆପଲ ଘଣ୍ଟାରେ ଜରୁରି ନମ୍ବର ୯୧୧କୁ ଫୋନ୍ କରିଥିଲେ। ଏହି ଘଟଣା ଘଟିଥିଲା ଅକ୍ଟୋବର ୧୬ ତାରିଖରେ। ୪୨ ବର୍ଷୀୟା ୟଙ୍ଗ ସୁକ ଆନ କବରରେ କିଛି ଘଣ୍ଟା ରହିବା ପରେ କୌଣସି ପ୍ରକାରେ ତା’ ଭିତରୁ ବାହାରି ପଳାଇଥିଲେ। କିଛିବାଟ ଯାଇ ସେ ଜଣେ ଅପରିଚିତ ଲୋକଙ୍କ କବାଟ ଖଟଖଟ କରି ସାହାଯ୍ୟ ପ୍ରାର୍ଥନା କରିଥିଲେ।
ୟଙ୍ଗଙ୍କ ସ୍ବାମୀ ୫୩ ବର୍ଷୀୟ ଚେ କ୍ୟୋଙ୍ଗ ଆନ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଥିଲେ କିନ୍ତୁ ପେନସନ ଟଙ୍କାରୁ ତାଙ୍କୁ ଭାଗ ଦେବାକୁ ଚାହୁ ନ ଥିଲେ। ଛାଡ଼ପତ୍ର ମାମଲା କୋର୍ଟରେ ଗଡ଼ି ଚାଲିଥିଲା। ୯୧୧ ଅପରେଟର ପୁଲିସକୁ କହିଥିଲେ ଯେ ଜଣେ ମହିଳା ଇମର୍ଜେନ୍ସି ନମ୍ବରକୁ ଫୋନ କରିଥିଲେ କିନ୍ତୁ ତାଙ୍କ ମୁହଁ ବନ୍ଧା ହୋଇଥିବା ପରି ଜଣାପଡ଼ୁଥିଲା ଓ ଗଁଗଁ ଶବ୍ଦ ଛଡ଼ା ସେ କିଛି କହିପାରୁ ନ ଥିଲେ। ପୁଲିସ ସେଲଫୋନ ଟାୱାରକୁ ଠାବ କରି ୟଙ୍ଗଙ୍କ ଘରେ ପହଞ୍ଚିଲା କିନ୍ତୁ କାହାକୁ ପାଇଲା ନାହିଁ। କିନ୍ତୁ ସେଠି କିଛି ବିଶୃଙ୍ଖଳା ହୋଇଥିବାର ସୁରାକ ପୁଲିସ ପାଇଲା। ୟଙ୍ଗ ଅକ୍ଟୋବର ୧୭ରେ ଜଣେ ଅପରିଚିତଙ୍କ କବାଟ ବାଡ଼େଇ ସାହାଯ୍ୟ ମାଗୁଥିଲେ। ଏହି ସମୟରେ ପୁଲିସ ତାଙ୍କ ସେଲଫୋନର ଲୋକେସନ ବାରି ସେଠାରେ ପହଞ୍ଚିବା ପରେ ସେ ପୁଲିସ ଆଗରେ ସମସ୍ତ ଘଟଣା ପ୍ରକାଶ କରିଥିଲେ। ଏହାପରେ ପୁଲିସ ଚେଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/murder-ff.jpg)