ପ୍ରେମିକଙ୍କୁ ଖୋଜି ପତ୍ନୀଙ୍କ ବାହାଘର କରାଇଲେ ସ୍ୱାମୀ, ସ୍ତ୍ରୀଙ୍କୁ ଫେରାଇଲେ ପୁରୁଣା ପ୍ରେମ

କାନପୁର: ପତ୍ନୀଙ୍କ ମୁହଁରୁ ତାଙ୍କ ପ୍ରେମ କାହାଣୀ ଶୁଣିବା ଆଉ ଅଧୁରା ରହିଥିବା ଲଭଷ୍ଟୋରୀକୁ ସମ୍ପୂର୍ଣ୍ଣ କରିବା ପାଇଁ ଜଣେ ସ୍ୱାମୀଙ୍କ ଚେଷ୍ଟା ଏହି ଘଟଣା କୌଣସି ଫିଲ୍ମ କାହାଣୀଠାରୁ କମ ନୁହେଁ | ବଲିଉଡର ୧୯୯୯ ବ୍ଲକବଷ୍ଟର ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଏକ ଉତ୍କୃଷ୍ଟ ଉଦାହରଣ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି । ଯିଏ କି ନିଜ ପତ୍ନୀଙ୍କ ଅଧୁରା ପ୍ରେମ କାହାଣୀ ଶୁଣି ତାଙ୍କ ପ୍ରେମକୁ ଫେରାଇଆଣିବାକୁ ପ୍ରଚେଷ୍ଟା କରିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ମେ ମାସରେ ପଙ୍କଜ ଶର୍ମା କୋମଲଙ୍କୁ ବିବାହ କରିଥିଲେ | ପଙ୍କଜ ଶର୍ମାଙ୍କ କହିବା ମୁତାବକ ଏହି ବିବାହକୁ ନେଇ ତାଙ୍କ ପତ୍ନୀ ଖୁସିନଥିବାର ସେ ଅନୁଭବ କରିଥିଲେ | ଏହା ପରେ ସେ ନିଜ ପତ୍ନୀଙ୍କୁ ଦୁଃଖୀ ରହିବାର କାରଣ ପଚାରିଥିଲେ |

କୋମଲ କହିଥିଲେ ଯେ ସେ ପଙ୍କଜଙ୍କୁ ବିବାହ କରି ମନସ୍ତାପ କରୁନାହାନ୍ତି, କିନ୍ତୁ ତାଙ୍କ ପ୍ରେମିକ ପିଣ୍ଟୁଙ୍କୁ ମନରୁ ଭୁଲି ପାରୁନାହାନ୍ତି | କୋମଲ, ନିଜ ସ୍ୱାମୀ ପଙ୍କଜଙ୍କୁ ନିଜର ପ୍ରେମ କାହାଣୀ ଶୁଣାଇଥିଲେ | କିଭଳି ପିଣ୍ଟୁଙ୍କୁ ସେ ଭେଟିଥିଲେ, କିଭଳି ଉଭୟ ପରସ୍ପରକୁ ହୃଦୟ ଦେଇଥିଲେ, ସେବାବଦରେ ସବୁ କିଛି ଖୋଲିକି କହିଥିଲେ | ଆଉ କୋମଲଙ୍କ ପ୍ରେମ କାହାଣୀ ଶୁଣିବା ପରେ ସ୍ୱାମୀ ପଙ୍କଜ ବେଶ ପ୍ରଭାବିତ ହୋଇଥିଲେ | ସେ ତାଙ୍କ ପ୍ରେମିକ ପିଣ୍ଟୁଙ୍କୁ ବିବାହ କରିବାକୁ ଚାହୁଁଥିବାର ମଧ୍ୟ ସ୍ୱୀକାର କରିଥିଲେ।

ଏହା ପରେ ପଙ୍କଜ ଶର୍ମା କୋମଲଙ୍କ ବାପା-ମାଙ୍କ ସହ କଥା ହୋଇଥିଲେ। କୋମଲଙ୍କ ବାପା-ମା ତାଙ୍କୁ ମନାଇବା ପାଇଁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସେ ପିଣ୍ଟୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବାରମ୍ବାର କହିଥିଲେ । ଏହା ପରେ ପଙ୍କଜ କୋମଲଙ୍କ ପ୍ରେମିକଙ୍କୁ ଖୋଜିଥିଲେ ଓ ଉଭୟଙ୍କ ବାହାଘର କରିବାକୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ | ପଙ୍କଜ ନିଜେ ଜଣେ ଓକିଲଙ୍କ ସହ କଥା ହୋଇଥିଲେ ଏବଂ ଉଭୟଙ୍କର କୋର୍ଟରେ ବିବାହ କରାଇଥିଲେ। କୋମଲ ଏବଂ ପିଣ୍ଟୁଙ୍କ ବିବାହରେ ଉଭୟ ପରିବାରର ସମ୍ପର୍କୀୟ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର