ଚେନ୍ନାଇ: ଆମେ ପ୍ରାୟତଃ ୟୁଟ୍ୟୁବରୁ ଅନେକ ଭିଡିଓ ଦେଖିପାରୁଛେ | ଆମ ଜୀବନଚର୍ଯ୍ୟାରେ ଆମେ ବେଳେବେଳେ ୟୁଟ୍ୟୁବରୁ କିଛି କଥା ଶିଖି କାମରେ ଲଗାଉଛେ | ତେବେ ବିନା ଅଭିଜ୍ଞତାରେ, ବିନା ପରାମର୍ଶରେ ୟୁଟ୍ୟୁବରୁ ଭିଡିଓ ଦେଖି ପତ୍ନୀଙ୍କ ଅପରେସନ ନିଜେ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ୟୁଟ୍ୟୁବରୁ ସନ୍ତାନ ପ୍ରସବ ବା ଡେଲିଭରି ଭିଡିଓ ଦେଖି ଜଣେ ୨୮ ବର୍ଷ ବୟସ୍କା ମହିଳାଙ୍କ ଅପରେସନ କରିବା ଦ୍ୱାରା ନବଜାତକର ମୃତ୍ୟୁ ହୋଇଥିବାବେଳେ ଏବେ ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |
ଏହି ଘଟଣା ତାମିଲନାଡୁର ରାନିପେଟରେ ଘଟିଛି। ପ୍ରାଥମିକ ସ୍ୱାସ୍ଥ୍ୟସେବା ଅଧିକାରୀ ମୋହନଙ୍କ ଅଭିଯୋଗ ମୁତାବକ ଲଗାନାଥନ୍ ଏବଂ ଗୋମତି ଏକ ବର୍ଷ ପୂର୍ବେ ବିବାହ କରିଥିଲେ | ଆଉ ଗୋମତି ଗର୍ଭବତୀ ହୋଇଥିବାବେଳେ ଡିସେମ୍ବର ୧୮ରେ ତାଙ୍କର ସନ୍ତାନ ଜନ୍ମ ହୋଇପାରେ ବୋଲି ଡାକ୍ତର କହିଥିଲେ | ତେବେ ଧାର୍ଯ୍ୟ ତାରିଖ ପୂର୍ବରୁ ଗୋମତିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀଙ୍କ ମୁଣ୍ଡକୁ ଏକ ଅଜବ ଭୁତ ଚଢ଼ିଥିଲା |
ସେ ପତ୍ନୀଙ୍କୁ ଡାକ୍ତରଖାନା ନ ନେଇ ନିଜେ ଅପରେସନ କରିବାକୁ ନିଷ୍ପତ୍ତି ନେଇଥିଲେ | ସେ ୟୁଟ୍ୟୁବରେ ଅପଲୋଡ ହୋଇଥିବା ପ୍ରସବ ସମ୍ପର୍କୀୟ ଭିଡିଓ ଦେଖି ପ୍ରସବ କରାଇଥିଲେ | ଏଥିରେ ତାଙ୍କ ଭଉଣୀ ଗୀତା ସାହାଯ୍ୟ କରିଥିଲେ | ତେବେ ଅପରେସନ ବିଫଳ ହୋଇଥିବାବେଳେ ନବଜାତର ମୃତ୍ୟୁ ହୋଇଯାଇଛି | ସେହିପରି ଗୋମତିଙ୍କ ଅବସ୍ଥା ଗୁରୁତର ହୋଇଥିବାବେଳେ ତାଙ୍କୁ ପୁନ୍ନାଇ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କୁ ଭେଲୋର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ତେବେ ଶିଶୁର ମୃତ୍ୟୁକୁ ନେଇ ଏବେ ଅଧିକାରୀମାନେ ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।