ନୂଆଦିଲ୍ଲୀ: ଶେଷରେ ଆତ୍ମଘୋଷିତ ଭଗବାନ ତଥା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ୍-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କୁ ପୁଲିସ ଗିରଫ କରିଛି। ରବିବାର ଭୋର ୩ଟା ୩୦ ସମୟରେ ଆଗ୍ରାର ଏକ ହୋଟେଲରୁ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ୬୨ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ପୁଲିସର ଗିରଫ ଏଡ଼ାଇବା ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ। ପୁଲିସ ନଜରରୁ ଖସିବା ପାଇଁ ସେ ଇତିମଧ୍ୟରେ ୧୫ରୁ ଅଧିକ ସ୍ଥାନ ବଦଳାଇଛନ୍ତି। ପ୍ରମୁଖ ଧାର୍ମିକ ସ୍ଥଳୀର ହୋଟେଲଗୁଡ଼ିକରେ ରହୁଥିଲେ। ଏସବୁ ସ୍ଥାନରେ ଯାଞ୍ଚ କମ୍ ହେଉଥିବାରୁ ସେ ଏଗୁଡ଼ିକୁ ଚୟନ କରୁଥିଲେ।
ହୋଟେଲରୁ ହୋଟେଲ ବୁଲୁଥିଲେ
ପିଏମ୍ଓ ସହ ସଂପର୍କ ଦାବି କରୁଥିଲେ
ଅସଦାଚରଣ ଅଭିଯୋଗ ଆଣିଥିଲେ ଛାତ୍ରୀ
ଚୈତନ୍ୟାନନ୍ଦ ଏବଂ ତାଙ୍କ ସହଯୋଗୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସହ ସଂପର୍କ ଥିବାର ମିଛ ଦାବି କରୁଥିଲେ। ସନ୍ଦେହରୁ ଊର୍ଦ୍ଧ୍ବରେ ରହିବା ପାଇଁ ସେମାନେ ଏଭଳି ପନ୍ଥା ଆପଣାଇଥିଲେ। ଏପରିକି ସ୍ବାମୀ ଚୈତନ୍ୟାନନ୍ଦଙ୍କର ପିଏମ୍ଓ ସହିତ ସଂପର୍କ ଥିବା କହି ତାଙ୍କର ସହଯୋଗୀମାନେ ଲୋକଙ୍କୁ ଫୋନ୍ କରୁଥିଲେ। ୧୭ ଜଣ ଛାତ୍ରୀ ସ୍ବାମୀ ଚୈତନ୍ୟାନନ୍ଦ ଓରଫ ପାର୍ଥସାରଥିଙ୍କ ବିରୋଧରେ ଅସଦାଚରଣ, ଅଶ୍ଳୀଳ ମେସେଜ୍ ପଠାଇବା ଆଦି ଅଭିଯୋଗ ଆଣିବା ପରଠାରୁ ତାଙ୍କର ପତ୍ତା ମିଳୁ ନଥିଲା। ଏହି ଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଅର୍ଥନୈତିକ ଦୁର୍ବଳ ବର୍ଗ ମେଧାବୃତ୍ତି ବର୍ଗର। ରାତିରେ ଛାତ୍ରୀମାନଙ୍କୁ କ୍ବାର୍ଟର୍ସକୁ ଡାକିବା ଓ ଅନ୍ୟାନ୍ୟ ଅଭିଯୋଗରେ ତାଙ୍କ ନାମରେ ଏତଲା ରୁଜୁ ହୋଇଥିଲା।
ସ୍ବାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ମଧ୍ୟ ରହିଛି। ଗତବର୍ଷ ଡିସେମ୍ବରରେ ଶ୍ରୀଙ୍ଗେରୀ ମଠ ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଥିଲା ଯେ ସେ ୨୦ କୋଟି ଟଙ୍କା ତୋସରପାତ କରିଛନ୍ତି। ୨୦୧୦ରେ ସେ ଜାଲିଆତି କରି ସ୍ଥାପନ କରିଥିବା ଏକ ସମାନ୍ତରାଳ ସଂସ୍ଥାକୁ ଉକ୍ତ ଅର୍ଥ ସ୍ଥାନାନ୍ତର କରିଥିଲେ। ଆର୍ଥିକ ଅନିୟମିତତା ନେଇ ମାମଲା ରୁଜୁ ହେବା ପରେ ପାର୍ଥସାରଥି ୫୫ ଲକ୍ଷ ଟଙ୍କା ଉଠାଇ ନେଇ ଫେରାର ହୋଇଯାଇଥିଲେ। ଏପରିକି ମିଥ୍ୟା ପରିଚୟରେ ଏକ ଜାଲ୍ ପାସପୋର୍ଟ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ। ଏହାପରେ ଶ୍ରୀଙ୍ଗେରୀ ମଠ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶକ ପଦରୁ କାଢ଼ି ଦିଆଯାଇଥିଲା। ଦେଶଛାଡ଼ି ସେ ଯେଭଳି ଖସି ଯାଇ ନପାରିବେ ସେଥିଲାଗି ତାଙ୍କ ନାମରେ ଲୁକ୍-ଆଉଟ୍ ନୋଟିସ୍ ଜାରି ହୋଇଥିଲା।