ସ୍ତ୍ରୀର ମୃତ୍ୟୁର ତେର ଦିନ ଦୁଇ ଝିଅଙ୍କୁ ବିଷ ଦେବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ହରିୟାଣା : ଦେଶରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ହରିୟାଣାର ଜିନ୍ଦ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୩ ଦିନ ପୂର୍ବେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତ୍ୟୁର ଠିକ ତେର ଦିନ ଦୁଇ ଝିଅଙ୍କୁ ବିଷ ପିଆଇବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ବ୍ୟକ୍ତିଙ୍କର ନାମ ମହେଶ ହୋଇଥିବା ବେଳେ ତାଙ୍କର ଦୁଇଟି ପୁଅ ଏବଂ ଦୁଇଟି ଝିଅ ଥିବା ଜଣାପଡ଼ିଛି। ତେବେ ଘଟଣାର ତୁରନ୍ତ ପରେ ତିନିଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଖାନାରେ ପହଞ୍ଚିବା ପରେ ମହେଶଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି।

ସୂଚନା ମୁତାବକ, ଜିନ୍ଦ୍‌ର ଦୟାବସ୍ତିରେ ରହୁଥିବା ୫୦ ବର୍ଷିୟ ମହେଶଙ୍କର ତାଙ୍କ ସ୍ତ୍ରୀ ରାଜବାଲାଙ୍କ ସହ କିଛି ଦିନ ପୂର୍ବେ କୌଣସି କାରଣରୁ ମତାନ୍ତର ହୋଇଥିଲା । ଯେଉଁ କାରଣରୁ ରାଜବାଲା ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ । ରାଜବାଲାଙ୍କ ମୃତ୍ୟୁର ତେର ଦିନ ମହେଶ ତାଙ୍କୁ ମନେ ପକାଇ ତାଙ୍କ ବ୍ୟବହୃତ ସମସ୍ତ ଜିନିଷ ବାହାର କରି କାନ୍ଦିଥିଲେ ଯାହା ପରେ ପାଖ ପଡ଼ୋଶୀ ବୁଝାଇବା ପରେ ସେ ଶାନ୍ତ ପଡ଼ିଥିଲେ । ମହେଶ ଏବଂ ରାଜବାଲାଙ୍କର ଥିଲେ ଦୁଇ ପୁଅ ଅୟାନ, ଇଶାନ୍ତ ଏବଂ ଦୁଇ ଝିଅ କାଜଲ, କୋମଲ ।

ମହେଶ ତେର ଦିନ ସମସ୍ତ ଅତିଥି ଯିବା ପରେ ଘର ମଧ୍ୟରେ ନିଜକୁ ଦୁଇ ଝିଅଙ୍କ ସହିତ ବନ୍ଦ କରିବା ସହ ପୁଅମାନଙ୍କୁ ବାହାରକୁ ପଠାଇ ଦେଇଥିଲେ । ସେ ନିଜର ଦୁଇ ଝିଅଙ୍କୁ ସପ୍ଲାକ୍ସ ବଟିକା ଖୁଆଇବା ସହ ନିଜ ମଧ୍ୟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନାବାଳିକ ପୁଅ ଦୁଇଜଣ ପାଖ ପଡ଼ୋଶୀଙ୍କୁ ଯାଇ ଘଟଣା ବିଷୟରେ କହିବା ପରେ ମହେଶ ଏବଂ ତାଙ୍କ ଦୁଇ ଝଅଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଡ଼ାକ୍ତର ମହେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୁଇ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର