ନୂଆଦିଲ୍ଲୀ: ସ୍ବାମୀଙ୍କ ମୃତ୍ୟୁର କିଛି ମିନିଟ ମଧ୍ୟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘୋଘା ଥାନା ଅଞ୍ଚଳର ହରିଜନ ଟୋଲିରେ ଘଟିଛି।
ସୂଚନାଯୋଗ୍ୟ, ହରିଜନ ଟୋଲିରେ ବସବାସ କରୁଥିବା ମହେଶ ହରିଜନ(୭୫)ଙ୍କ ମୃତ୍ୟୁ ରୋଗଗ୍ରସ୍ତ ହେତୁ ଗତବୁଧବାର ସକାଳ ୪.୩୦ଟାରେ ହୋଇଥିଲା। ମୃତକ ମହେଶଙ୍କ ୭୦ବର୍ଷୀୟ ସ୍ତ୍ରୀ ଯେତେବେଳେ ସ୍ବାମୀଙ୍କୁ ଡାକିବାକୁ ଯାଇଥିଲେ ସେ ଆଉ ଶୁଣି ନଥିଲେ। ପରିବାରଲୋକ ଆସି ମହେଶଙ୍କୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।
ଏକଥା ସ୍ତ୍ରୀ ସକୁନା ଜାଣିବା ପରେ ସେ ସ୍ବାମୀଙ୍କ ପାଖକୁ ଯାଇ ଭୋଭୋ ହୋଇ କାନ୍ଦିଥିଲେ। ସ୍ବାମୀଙ୍କ ଛାତି ଉପରେ ମୁଣ୍ଡ ରଖି ଟଳି ପଡ଼ିଥିଲେ। ପରିବାରଲୋକ ସକୁନାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।
ଏହାପରେ ଗ୍ରାମବାସୀ ମିଶି ବୃଦ୍ଧ ଦମ୍ପତିଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଗୋଟିଏ ଜୁଇରେ ଦମ୍ପତିଙ୍କ ମୃତଦେହ ଜଳୁଥିବା ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା।
କିଛି ଗ୍ରାମବାସୀ କହିଛନ୍ତି, ‘ମହେଶ ଓ ସକୁନାଙ୍କ ମଧ୍ୟରେ ଏମିତି ଭଲପାଇବା ଓ ସ୍ନେହ ଥିଲା କି ସେମାନେ କେବେ ହେଲେ କଳି କରନ୍ତି ନାହିଁ। ଦୁହିଁଙ୍କ ମଧ୍ୟରେ ଉଚିତ ବୁଝାମଣା ଥିଲା। ସେଥିପାଇଁ ବେଶ ହସଖୁସିରେ ସେମାନେ ସଂସାର ଗଢ଼ିଥିଲେ। ଆଉ ଦେଖନ୍ତୁ ତ ଉଭୟଙ୍କ ମୃତ୍ୟୁ ବି ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ଛାତି ଉପରେ ମୁଣ୍ଡ ରଖି କାନ୍ଦୁଥିବା ବେଳେ ସ୍ତ୍ରୀଙ୍କର ବି ପ୍ରାଣବାୟୁ ଉଡ଼ିଯାଇଥିଲା।’