ନୂଆଦିଲ୍ଲୀ: ପତ୍ନୀଙ୍କ ସମ୍ପତ୍ତି ବା ସ୍ତ୍ରୀଧନ ଉପରେ ସ୍ୱାମୀଙ୍କର କୌଣସି ନିୟନ୍ତ୍ରଣ ନ ଥାଏ ଏବଂ ସେ ସ୍ବାମୀଙ୍କ ସଙ୍କଟ ସମୟରେ ଏହାକୁ ବ୍ୟବହାର କରିପାରନ୍ତି। କିନ୍ତୁ ପରେ ପତ୍ନୀଙ୍କୁ ଏହା ଫେରାଇଦେବା ହେଉଛି ସ୍ବାମୀଙ୍କର ନୈତିକ ଦାୟିତ୍ୱ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏହି ମାମଲାରେ ମହିଳା ଜଣକ ଦାବି କରିଛନ୍ତି ଯେ ବିବାହ ସମୟରେ ତାଙ୍କ ପରିବାର ତାଙ୍କୁ ପ୍ରାୟ ୯ ଲକ୍ଷ ଟଙ୍କାର ସୁନା ଗହଣା ଉପହାର ଦେଇଥିଲେ। ଏହାବ୍ୟତୀତ ବିବାହ ପରେ ତାଙ୍କ ବାପା ତାଙ୍କ ସ୍ୱାମୀଙ୍କୁ ୨ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ବିବାହର ପ୍ରଥମ ରାତିରେ ସ୍ୱାମୀ ତାଙ୍କର ସମସ୍ତ ଅଳଙ୍କାରକୁ ନିଜ ଅକ୍ତିଆରକୁ ନେଇ ସୁରକ୍ଷିତ ରଖିବା ଆଳରେ ନିଜ ମା’ଙ୍କୁ ହସ୍ତାନ୍ତର କରିଥିଲେ। ସମସ୍ତ ଅଳଙ୍କାରକୁ ସ୍ୱାମୀ ଓ ତାଙ୍କ ମା’ ସେମାନଙ୍କର ପୂର୍ବ ଋଣ ସୁଝିବା ପାଇଁ ଅପବ୍ୟବହାର କରିଛନ୍ତି। ୨୦୧୧ ମସିହାରେ ଫ୍ୟାମିଲି କୋର୍ଟ କହିଥିଲେ ଯେ ସ୍ୱାମୀ ଓ ତାଙ୍କ ମା’ ପ୍ରକୃତରେ ଆବେଦନକାରୀଙ୍କ ସୁନା ଅଳଙ୍କାରର ଅପବ୍ୟବହାର କରିଛନ୍ତି ଏବଂ ସେମାନେ ଏହି କ୍ଷତି ଭରଣା କରିବା ଉଚିତ।
କେରଳ ହାଇକୋର୍ଟ ପରିବାର ଅଦାଲତ ଦେଇଥିବା ରାୟକୁ ଆଂଶିକ ଖାରଜ କରି କହିଥିଲେ ଯେ ମହିଳା ଜଣକ ସ୍ୱାମୀ ଓ ତାଙ୍କ ମା’ଙ୍କ ଦ୍ୱାରା ସୁନା ଅଳଙ୍କାର ଅପବ୍ୟବହାରକୁ ପ୍ରମାଣିତ କରିବାରେ ସକ୍ଷମ ହୋଇନାହାନ୍ତି। ଏହାପରେ ମହିଳା ଜଣକ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସ୍ତ୍ରୀଧନ ପତ୍ନୀ ଓ ସ୍ୱାମୀଙ୍କ ମିଳିତ ସମ୍ପତ୍ତି ହୋଇ ନ ଥାଏ ଏବଂ ଏହି ସମ୍ପତ୍ତି ଉପରେ ସ୍ୱାମୀଙ୍କର ଅଧିକାର ନାହିଁ। ବିବାହ ପୂର୍ବରୁ, ବିବାହ ସମୟରେ, ବିଦାୟ ସମୟରେ କିମ୍ବା ତା’ପରେ ମହିଳାଙ୍କୁ ଉପହାର ଦିଆଯାଇଥିବା ସମ୍ପତ୍ତି ହେଉଛି ସ୍ତ୍ରୀଧନ ବା ସ୍ତ୍ରୀଙ୍କ ସମ୍ପତ୍ତି। ଏହା ଉପରେ ସ୍ତ୍ରୀଙ୍କର କେବଳ ଅଧିକାର ରହିଛି। ସ୍ତ୍ରୀଧନ ଉପରେ ସ୍ୱାମୀଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସେ ଏହାକୁ ବ୍ୟବହାର କରିପାରନ୍ତି, କିନ୍ତୁ ତଥାପି ତାଙ୍କ ପତ୍ନୀଙ୍କୁ ସମାନ ରୂପରେ କିମ୍ବା ଏହାର ମୂଲ୍ୟ ଫେରାଇ ଦେବା ତାଙ୍କର ନୈତିକ ଦାୟିତ୍ୱ ବୋଲି ଖଣ୍ଡପୀଠ କହିଛନ୍ତି।