ନାଗପୁର: ହ୍ଵାଟ୍ସ୍ଆପ୍ ଭିଡିଓ କଲ୍ ଜରିଆରେ ପତ୍ନୀଙ୍କର ସମ୍ମତି ରେକର୍ଡିଙ୍ଗ୍ କରିବା ପରେ ନାଗପୁର ଫ୍ୟାମିଲି କୋର୍ଟ ଏକ ଦମ୍ପତିଙ୍କୁ ଛାଡ଼ପତ୍ର ମଞ୍ଜୁର କରିଛନ୍ତି।
ଷ୍ଟୁଡେଣ୍ଟ୍ ଭିସା ଯୋଗେ ୩୫ ବର୍ଷୀୟ ପତ୍ନୀ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍ ଠାରେ ଅଧ୍ୟୟନ କରୁଛନ୍ତି। ଶିକ୍ଷାନୁଷ୍ଠାନରୁ ଦୀର୍ଘ ଛୁଟି ନ ମିଳିବା କାରଣରୁ ଶୁଣାଣି ସମୟରେ ହାଜର ହେବାର ଅସାମର୍ଥ୍ୟତା ଦର୍ଶାଇ ମହିଳାଜଣକ ହ୍ଵାଟ୍ସ୍ଆପ୍ ଭିଡିଓ କଲ୍ରେ ଶୁଣାଣି କରାଯିବାକୁ ଅନୁରୋଧ କରିଥିଲେ।
୩୭ ବର୍ଷିୟ ସ୍ୱାମୀ ହେଉଛନ୍ତି ନାଗପୁର ଅନ୍ତର୍ଗତ ଖମ୍ଲାର ବାସିନ୍ଦା। ସେ ମଧ୍ୟ ମିଚିଗାନ୍ରେ କାମ କରନ୍ତି, କିନ୍ତୁ ପାରସ୍ପରିକ ସହମତିରେ ବିଧିବଦ୍ଧ ଭାବେ ଛାଡ଼ପତ୍ର ମଞ୍ଜୁର ହେବା ସମୟରେ ସେ ଜନ୍ମସ୍ଥାନରେ ଥିଲେ।
ଉଭୟ ପକ୍ଷରୁ ସମ୍ମିତି ପାଇବା ପରେ ନାଗପୁର ପରିବାର ଅଦାଲତର ବିଚାରପତି ସ୍ୱାତୀ ଚୌହାନ୍ ସେମାନଙ୍କ ବିଚ୍ଛେଦ ଲାଗି ଅନୁମତି ଦେଇଥିଲେ। ସର୍ତ୍ତ ରଖିଥିଲେ କ୍ଷତିପୂରଣ ବାବଦରେ ସ୍ୱାମୀ ଏକକାଳୀନ ୧୦ ଲକ୍ଷ ଟଙ୍କା ଦେବେ। ଏ ବର୍ଷ ଜାନୁଆରି ୧୪ ତାରିଖ ଦିନ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାର ଏକ ଅଟୋମୋବାଇଲ୍ କମ୍ପାନିରେ କାର୍ଯ୍ୟ କରୁଥିବା ଉଭୟ ଇଂଜିନିୟର୍ଙ୍କର ଅଗଷ୍ଟ ୧୧, ୨୦୧୩ରେ ଆୟୋଜିତ ବାହାଘର ହୋଇଥିଲା। ଆମେରିକା ଭିସାର କାର୍ଯ୍ୟକାଳ ଶେଷ ହେବା ପରେ ପତ୍ନୀ କିଛି ଦିନ ଶାଶୂଘରେ ରହିବାରୁ ଉଭୟଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା। ପରେ ସେ ଷ୍ଟୁଡେଣ୍ଟ୍ ଭିସାରେ ମିଚିଗାନ୍ ଯାଇଥିଲେ।