ଲଖନଉ: ଉତ୍ତରପ୍ରଦେଶର ଲାଖୀମପୁର ଖୀରୀରେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ଲାଖୀମପୁର ଖୀରୀ ସହରରେ ଜଣେ ଡାକ୍ତର ତାଙ୍କ ଡାକ୍ତର ପତ୍ନୀଙ୍କୁ ବାଡିରେ ପିଟିପିଟି ହତ୍ୟା କରିଥିଲେ | କେବଳ ଏତିକି ନୁହେଁ, ଏହା ପରେ ମୃତଦେହକୁ ଲାଖୀମପୁର ଖୀରୀଠାରୁ ୩୭୧ କିଲୋମିଟର ଦୂରରେ ଥିବା ଗଢମୁକ୍ତେଶ୍ଵର ନେଇ ପୋଡିଦେଇଥିଲେ ଓ ତାଙ୍କ ପତ୍ନୀଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯେତେବେଳେ ପୁଲିସ ଏହି ଘଟଣାର ଅନୁସନ୍ଧାନ କଲା, ସେତେବେଳେ ଏହି ସମ୍ବେଦନଶୀଳ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାର ତଦନ୍ତ ପରେ ଏବେ ଅଭିଯୁକ୍ତ ଡାକ୍ତର ଅଭିଷେକ ଦୀକ୍ଷିତ ଓ ତାଙ୍କ ବାପାଙ୍କୁ ଗିରଫ କରାଯାଇଛି | ପୁଲିସର ସୂଚନା ମୁତାବକ ଇସାନଗର ଅଂଚଳର ବନ୍ଦନା ଶୁକ୍ଲା (୨୮) ଜଣେ ଡାକ୍ତର ଥିବାବେଳେ ୨୦୧୪ ମସିହାରେ ଲାଖୀମପୁର ଖୀରୀର ବାହାଦୂରନଗର ନିବାସୀ ଅଭିଷେକ ଦୀକ୍ଷିତଙ୍କୁ ବିବାହ କରିଥିଲେ। ଅଭିଷେକ ମଧ୍ୟ ଜଣେ ଡାକ୍ତର। ଉଭୟ ଗୌରୀ ହସ୍ପିଟାଲ ନାମରେ ଏକ ଡାକ୍ତରଖାନା ଖୋଲି ସେଠାରେ ଚିକିତ୍ସା କରୁଥିଲେ |
ପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା | ୨୬ ନଭେମ୍ବର ୨୦୨୨ରେ ଡାକ୍ତର ଅଭିଷେକ ଓ ବନ୍ଦନାଙ୍କ ମଧ୍ୟରେ ଝଗଡା ତୀବ୍ର ରୂପ ଧାରଣ କରିଥିଲା | ଏହାପରେ ଅଭିଷେକ ଓ ତାଙ୍କ ବାପା ବନ୍ଦନାଙ୍କୁ ବାଡ଼ିରେ ପିଟିଥିଲେ। ଏଥିରେ ଡାକ୍ତର ବନ୍ଦନାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଦୁହେଁ ବନ୍ଦନାଙ୍କ ମୃତଦେହକୁ ଏକ ବାକ୍ସରେ ବନ୍ଦ କରି ବିଳମ୍ବିତ ରାତିରେ ପିକଅପ ଗାଡି ଭଡା କରି ୩୭୧ କିଲୋମିଟର ଦୂର ଗଢମୁକ୍ତେଶ୍ଵରକୁ ନେଇଯାଇଥିଲେ | ସେଠାରେ ଏକ ମଶାଣିରେ ମୃତଦେହକୁ ପୋଡି ଦେଇଥିଲେ | ୨୭ ନଭେମ୍ବର ସନ୍ଧ୍ୟାରେ ଡାକ୍ତର ଅଭିଷେକ ବନ୍ଦନାଙ୍କ ପିତାଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ଝିଅ କୁଆଡେ ଚାଲିଯାଇଛନ୍ତି | ଏହାପରେ ବନ୍ଦନାଙ୍କ ବାପା ଲାଖୀମପୁର ଖୀରୀକୁ ଆସିଥିଲେ ଏବଂ ଜ୍ୱାଇଁ ଅଭିଷେକଙ୍କ ସହ ଥାନାରେ ଝିଅର ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯେତେବେଳେ ପୁଲିସ ତଦନ୍ତ ଆରମ୍ଭ କଲା, ଘଟଣାଟି ଜଣାପଡିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିଛି । ପଚରାଉଚୁରା ସମୟରେ ଉଭୟ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ |