ପାଟନା: 'ଯଦି ତୋର ହୃଦୟ ମୋ ପାଖରେ ନାହିଁ ତେବେ ତୁ ସେହି ମଣିଷ ପାଖରେ ଶାନ୍ତିରେ ରହ, ଯିଏ ତୋ ମନକୁ କିଣିପାରିଛି' | କିଛି ଏଭଳି ଭାବି ବିହାରର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ବିବାହ ତାଙ୍କ ପ୍ରେମିକଙ୍କ ସହ କରାଇଛନ୍ତି | ପତ୍ନୀର ଅନ୍ୟ ସହ ସମ୍ପର୍କ ଥିବାର ଶୁଣି ଅନେକ ସମୟରେ କିଛି ସ୍ୱାମୀ ସେମାନଙ୍କ ପତ୍ନୀଙ୍କୁ ହତ୍ୟା କରୁଥିବାର ଖବର ଆପଣ ଶୁଣିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ କହିବୁ ଯିଏ କି ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବାର ଜାଣିବା ପରେ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇଦେଇଛନ୍ତି | ବିହାରର ଭାଗଲପୁରରୁ ଏଭଳି ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ କରଭା ଚୋୖଥ ଦିନ ତାଙ୍କ ପ୍ରେମିକ ସହ ବିବାହ କରାଇଛନ୍ତି | ଯେଉଁ ଦିନ ପତ୍ନୀ ତାଙ୍କ ସ୍ୱାମୀଙ୍କ ପାଇଁ ଉପବାସ କରିବା କଥା ସେହିଦିନ ବ୍ୟକ୍ତି ଜଣକ ତାଙ୍କ ପ୍ରେମକୁ ବଳିଦାନ ଦେଇ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହିତ ବିବାହ କରାଇଥିଲେ।

Advertisment

ମିଳିଥିବା ସୂଚନା ମୁତାବକ ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜ ଅଞ୍ଚଳରେ ରହୁଥିବା ଶ୍ରବଣ କୁମାର ନାମକ ଜଣେ ବ୍ୟକ୍ତି ୧୦ ବର୍ଷ ପୂର୍ବେ ପୂଜା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଶାଶୁ ଘରକୁ ଆସିବା ପରେ ପୂଜା ଗାଁରେ ରହୁଥିବା ଛୋଟୁ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଧୀରେ ଧୀରେ ଦୁହିଁଙ୍କ ନିବିଡ଼ତା ବଢିଥିଲା ଏବଂ ସେମାନେ ପରସ୍ପରକୁ ଭଲ ପାଇ ବସିଥିଲେ | ଶ୍ରବଣ ଏବଂ ପୂଜାଙ୍କର ଚାରି ସନ୍ତାନ ଥିବାବେଳେ ପୂଜା କିନ୍ତୁ ଗୁପ୍ତରେ ତାଙ୍କ ପ୍ରେମିକ ଛୋଟୁଙ୍କୁ ଭେଟୁଥିଲେ। ଆଉ କରଭା ଚୋୖଥ ପୂର୍ବରୁ ପୂଜା ତାଙ୍କ ସ୍ୱାମୀଙ୍କୁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ କହିଥିଲେ।

ସେ ଛୋଟୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହା ଶୁଣି ଶ୍ରବଣଙ୍କ ପାଦ ତଳେ ମାଟି ଖସିପଡିଥିଲା | କିନ୍ତୁ ସେ ନିଜ ପ୍ରେମକୁ ବଳିଦାନ ଦେଇ ନିଜେ କରଭା ଚୋୖଥ ଦିନ ପୂଜାଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ସରପଞ୍ଚ ଏବଂ ମୁଖିଆଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କ ସାମ୍ନାରେ ତାଙ୍କ ପତ୍ନୀ ପୂଜା ତାଙ୍କ ପ୍ରେମିକ ଛୋଟୁଙ୍କୁ ବିବାହ କରିଥିଲେ।