ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସ୍ତ୍ରୀ ଭଲ ଶାଢ଼ି ନ ପିନ୍ଧିବାରୁ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଛି। ଶେଷରେ ସ୍ବାମୀ ଏନେଇ ପରିବାର କୋର୍ଟର ଦ୍ବାରସ୍ଥ ହୋଇ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଛନ୍ତି। ସ୍ବାମୀ କହିଛନ୍ତି ଭଲ ଶାଢ଼ି ନ ପିନ୍ଧିଲେ ମୋ ଘର ଛାଡ।
ଆଗ୍ରାର ଜଣେ ଯୁବତୀଙ୍କ ବିବାହ ହାଥରସ ନିବାସୀ ଜଣେ ଯୁବକଙ୍କ ସହିତ ୮ ମାସ ତଳେ ହୋଇଥିଲା। ସ୍ବାମୀ ପରିବାର କୋର୍ଟରେ କହିଛନ୍ତି ମୁଁ ମୋ ସ୍ତ୍ରୀକୁ ବହୁତ ଭଲ ପାଏ। ସେ ସବୁବେଳେ ନିଜ ପସନ୍ଦର ଖରାପ ଶାଢ଼ି ପିନ୍ଧୁଛନ୍ତି। ମୋ ପସନ୍ଦର ଶାଢ଼ି ପିନ୍ଧିବାକୁ ସେ ଅମଙ୍ଗ ହେଉଛନ୍ତି। ଏହା ଦ୍ବାରା ପରିବାରରେ ସବୁବେଳେ କଳହ ଲାଗି ରହୁଛି। ତେବେ ସ୍ବାମୀଙ୍କ ଅଭିଯୋଗ ନେଇ ସ୍ତ୍ରୀ କହିଛନ୍ତି ମୁଁ ସବୁବେଳେ ସ୍ବାମୀଙ୍କ ପସନ୍ଦର ଶାଢ଼ି ପିନ୍ଧିଥାଏ। ଯଦି କେବେ କେମିତି ମୁଁ ନିଜ ପସନ୍ଦର ଶାଢ଼ି ପିନ୍ଧୁଛି ଏହାକୁ ନେଇ ସ୍ବାମୀ ଅସନ୍ତୁଷ୍ଟ ହେଉଛନ୍ତି। ଏହା ସହିତ ମୋତେ ବିଭିନ୍ନ ପ୍ରକାର ଅଶାଳୀନ କଥା କହୁଛନ୍ତି।
ଏହାକୁ ନେଇ ଘରେ କଳି ଲାଗି ରହୁଛି। ଏଭଳି ସ୍ଥିତି ଲାଗି ରହିବାରୁ ମାସ ହେଲା ମୁଁ ସ୍ବାମୀଙ୍କୁ ଛାଡି ବାପଘରେ ରହୁଛି ବୋଲି ସ୍ତ୍ରୀ କହିଛନ୍ତି।
ବାପଘରେ ପହଞ୍ଚି ସ୍ତ୍ରୀ ସ୍ବାମୀଙ୍କ ବିରୋଧରେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଷ୍ଟେସନ ପକ୍ଷରୁ ଏହି ମାମଲାକୁ ପରିବାର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର କୋର୍ଟର ପରାମର୍ଶଦାତା ଡ. ଅମିତ ଗୌଡ଼ ଉଭୟଙ୍କୁ ଡକାଇ ଦାମ୍ପତ୍ୟ ଜୀବନରେ କିଭଳି ଶାନ୍ତି ବଜାୟ ରହିବ ସେ ନେଇ ପରାମର୍ଶ ପ୍ରଦାନ କରିଥିଲେ। ପରେ ଆଚରଣରେ ସୁଧାର ଆଣିବା ପାଇଁ ଉଭୟଙ୍କୁ ପରିବାର କୋର୍ଟ କିଛିଦିନ ସମୟ ଦେଇଛନ୍ତି।