ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ଜଣେ ୨୨ ବର୍ଷୀୟା ମହିଳା ନିଜ ବିବାହର ୨ ସପ୍ତାହ ପରେ ପ୍ରେମିକ ସହ ମିଶି ସୁପାରି କିଲର ଦ୍ବାରା ସ୍ବାମୀଙ୍କୁ ହତ୍ୟା କରିଛି। ପୁଲିସ ଅନୁଯାୟୀ ୨ ଅଭିଯୁକ୍ତ ପ୍ରଗତି ଯାଦବ ଏବଂ ଅନୁରାଗ ଯାଦବ ଗତ ୪ ବର୍ଷ ଧରି ସମ୍ପର୍କରେ ରହିଥିଲେ। କିନ୍ତୁ ସେମାନଙ୍କ ବାପା ମା’ ସେମାନଙ୍କ ସମ୍ପର୍କକୁ ସ୍ବୀକୃତି ଦେଇନଥିଲେ। ପ୍ରଗତିଙ୍କ ବାପା ମା’ ତାଙ୍କୁ ବଳପୂର୍ବକ ମାର୍ଚ୍ଚ ୫ ତାରିଖରେ ଦିଲୀପ ନାମକ ଜଣେ ବ୍ୟକ୍ତିଙ୍କ ସହ ବିବାହ କରାଇ ଦେଇଥିଲେ। ବିବାହ ପରେ ପ୍ରଗତି ପ୍ରେମିକଙ୍କ ସହ ମିଶି ନପାରିବାରୁ ସ୍ବାମୀଙ୍କୁ ମାରିବାପାଇଁ ପ୍ରେମିକ ସହ ଯୋଜନା କରିଥିଲା। ସେମାନେ ଦିଲୀପଙ୍କୁ ହତ୍ୟା କରିବାପାଇଁ ୨ ଲକ୍ଷ ଟଙ୍କା ଦେଇ ଜଣେ ସୁପାରି କିଲର୍ ନିୟୋଜିତ କରିଥିଲେ। ଏହି କଣ୍ଟ୍ରାକ୍ଟ କିଲର୍ର ନାମ ରାମାଜୀ ଚୌଧାରୀ। ପୁଲିସ ଉକ୍ତ ଘଟଣାରେ ତଦନ୍ତ କରିବାପରେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମାର୍ଚ୍ଚ ୧୮ ତାରିଖରେ ପୁଲିସ ଦିଲୀପଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏକ କ୍ଷେତରୁ ପାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାପରେ ଦିଲୀପଙ୍କ ଭାଇ ଏନେଇ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଅନୁଯାୟୀ ରାମାଜୀଙ୍କ ସହ ଅନ୍ୟ ୨ ଜଣ ଦିଲୀପଙ୍କୁ ବାଇକ୍ରେ ଏକ କ୍ଷେତକୁ ନେଇଥିଲେ। ସେଠାରେ ପହଞ୍ଚିବାପରେ ସେମାନେ ଦିଲୀପଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଗୁଳି କରିଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଧିକାରୀମାନେ ମଧ୍ୟ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ଟି ଗୁଳି, ଏକ ବାଇକ୍, ୨ଟି ମୋବାଇଲ ଫୋନ୍, ଗୋଟିଏ ପର୍ସ, ଆଧାର କାର୍ଡ ଏବଂ ୩ ହଜାର ଟଙ୍କା ପାଇଛନ୍ତି।