ଅହମଦାବାଦ: ଜାତି ଲୁଚାଇ, ବ୍ରାହ୍ମଣ ବୋଲି ପରିଚୟ ଦେଇ ବିବାହ କରିଥିବାରୁ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ମେହସାନାର ଜଣେ ୨୩ ବର୍ଷୀୟ ଯୁବତୀ।
ଏକତା ପଟେଲ୍ ନାମ୍ନା ସେ ମହିଳା ହେଉଛନ୍ତି ବେଚ୍ରାଜି ତାଲୁକ ଅନ୍ତର୍ଗତ ଆଦିବଦା ଗ୍ରାମର। ସେ ଦର୍ଶାଇଛନ୍ତି ଯେ, ମେହେଟା ସାଙ୍ଗିଆ ଏବଂ ଜାତିରେ ବ୍ରାହ୍ମଣ ବୋଲି କହିଥିବା ଜଣେ ଲୋକକୁ ସେ ଏପ୍ରିଲ୍ ୨୩ ତାରିଖ ଦିନ ବାହା ହୋଇଥିଲେ। ପରେ ଯେତେବେଳେ ବାହାଘର ପଞ୍ଜିକରଣ କରିବାକୁ ଗଲେ ସେ ଜାଣିଲେ ଯେ ସ୍ୱାମୀଙ୍କ ସାଙ୍ଗିଆ ଖମାର ଏବଂ ସେ ବ୍ରାହ୍ମଣ ନୁହନ୍ତି।
ପଟେଲ୍ କହନ୍ତି: ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନ ଥିବା କାରଣରୁ ଗତବର୍ଷ ଏପ୍ରିଲ୍ ମାସରେ ବାଣିଜ୍ୟରେ ସ୍ନାତକତ୍ତୋର କରିବା ପରେ ଚାକିରି କରିବା ମୋ ପାଇଁ ଥିଲା ଅପରିହାର୍ଯ୍ୟ। ସେତେବେଳେ ଆକାଉଣ୍ଟ ପଦବୀ ଫାଙ୍କା ଥିବା ଏକ ଗ୍ୟାସ୍ ଏଜେନ୍ସିରେ ମୁଁ ପହଞ୍ଚିଲି। ଏଜେନ୍ସିର ମାଲିକାଣୀ ଜ୍ୟୋତ୍ସ୍ନା ମେହେଟା ମତେ ମାସିକ ୫୦୦୦ ହଜାର ଟଙ୍କା ଦରମାରେ ନିଯୁକ୍ତି ଦେଲେ। ସେଠାରେ ପରେ ପରେ ମୁଁ ଜ୍ୟୋତ୍ସ୍ନାଙ୍କ ପୁଅ ୟାସ୍ଙ୍କ ସଂସ୍ପର୍ଶରେ ଆସିଲି। ସେ ମତେ କହିଲେ କି, ସେମାନେ ବ୍ରାହ୍ମଣ। କ୍ରମେ ଆମେ ପ୍ରେମରେ ପଡ଼ିଗଲୁ। ସେ ସବର୍ଣ୍ଣ ହୋଇଥିବାରୁ ତାଙ୍କୁ ବାହା ହେବା ପାଇଁ ମୁଁ ସ୍ଥିର କଲି। ଏ ବର୍ଷ ଏପ୍ରିଲ୍ ମାସରେ ହିନ୍ଦୁ ରୀତି ମତେ ଖାନପୁରସ୍ଥିତ ଷ୍ଟେର୍ଲିଙ୍ଗ୍ ସେଣ୍ଟର୍ ଠାରେ ଜଣେ ପୁରୋହିତଙ୍କ ଦ୍ୱାରା ଆମେ ବିବାହ କଲୁ। ପରେ ଆମେ ଏଏମ୍ସିର ଶାହାପୁର ଅଫିସ୍ରେ ବିବାହର ପୁନଃପଞ୍ଜିକରଣ କରାଇଲୁ।
ସେ ଆହୁରି କହିଛନ୍ତି: ଆମେ ଆମ ଘରେ ରହିବା ପରେ ଦିନେ ମୁଁ ଜାଣିଲି ୟାଶ୍ଙ୍କ ସାଙ୍ଗିଆ ଖମାର ଏବଂ ଜାଣିଲି ତାହା ବ୍ରାହ୍ମଣ ସାଙ୍ଗିଆ ନୁହେଁ। ଜାତି ଲୁଚାଇ ୟାଶ୍ ମୋ ସହ ବିଶ୍ୱାସଘାତକତା କରିଛନ୍ତି।
ପରେ ପଟେଲ୍ ନିଜ ବାପାମାଆଙ୍କୁ ଏ କଥା କହିବାରୁ ସେମାନେ ତାଙ୍କ ସହ ଥାନାକୁ ଯାଇ ଖମାରଙ୍କ ନାଁରେ ଅଭିଯୋଗ ଦାଏର କରିଥିଲେ।