ମୁମ୍ବାଇ: ରବିବାର ମୁମ୍ବାଇରେ ଶିବସେନା ନେତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ବିଏମ୍ଡବ୍ଲୁ କାର୍ ଚଢ଼ାଇଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କ ପିତା ତଥା ଶାସକ ଶିବସେନା ନେତା ରାଜେଶ ଶାହଙ୍କୁ ଥାନାରେ ଅଟକ ରଖିଛି। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ମିହିର ଶାହ (୨୪) ସେଠାରୁ ଫେରାର୍ ହୋଇଯାଇଥିବାରୁ ପୁଲିସ ଏବେ ତାକୁ ଖୋଜିବା ଆରମ୍ଭ କରିଛି। ପୁଅ ଫେରାର ଥିବାରୁ ଏହି ଘଟଣାରେ ମିହିରଙ୍କ ପିତା ତଥା ଶିବସେନା ଦଳର ପାଲଘର ଜିଲ୍ଲା ଉପାଧ୍ୟକ୍ଷ ରାଜେଶଙ୍କୁ ଥାନାରେ ଅଟକ ରଖିଛି।
ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ମୋ ସ୍ତ୍ରୀକୁ ସେ ଯେମିତି କାରରେ ଘୋଷାଡି ନେଇଥିଲା, ମୁଁ ସେମିତି ତାକୁ ଘୋଷାଡିବାକୁ ଚାହେଁ ବୋଲି କହିଛନ୍ତି ମୃତକ କାବେରୀ ନଖବାଙ୍କ ସ୍ୱାମୀ ପ୍ରଦୀପ | ସେ କହିଛନ୍ତି ଯେ, ରବିବାର “ସକାଳ ୫.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା | ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ କହିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ। ମୋର ଦୁଇଟି ସନ୍ତାନ ଅଛନ୍ତି | କାବେରୀ ଚାଲିଗଲେ | ଏବେ ମୁଁ କ’ଣ କରିବି? ଏମାନେ ବଡ ଲୋକ | କେହି କିଛି କରିବେ ନାହିଁ | କେବଳ ଆମେ ଯନ୍ତ୍ରଣା ଭୋଗିବୁ । ”