ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବା ଜିଲ୍ଲା ହସ୍ପିଟାଲରେ ଘଟିଥିବା ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ସର୍ପ ଦଂଶନରେ ଅଚେତ ହୋଇଥିବା ଅନ୍ତସତ୍ତ୍ବା ସ୍ତ୍ରୀକୁ ବ୍ୟକ୍ତି ଚିକିତ୍ସା ପାଇଁ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ଏଥିରେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଦଂଶନ କରିଥିବା ସାପକୁ ବି ନେଇ ସେ ହସ୍ପିଟାଲ ପହଞ୍ଚିଥିଲେ।

Advertisment

ସୂଚନାଯୋଗ୍ୟ, ଅଜନର ଥାନା ଅଞ୍ଚଳସ୍ଥ ବଚ୍ଛେଛର କଲାଂ ଗ୍ରାମରେ ବସବାସ କରୁଥିବା ହରିମୋହନଙ୍କ ଅନ୍ତସତ୍ତ୍ବା ଧର୍ମପତ୍ନୀ ନୀଲମ ରାଜପୁତ ରୋଷେଇ ପାଇଁ ପାଣି ଭରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେତୁ କେଉଁଆଡୁ ଏକ ସାପ ଚାଲି ଆସି ତାଙ୍କୁ ଦଂଶନ କରିଥିଲା।

ସର୍ପ ଦଂଶନ ପରେ ନୀଲମଙ୍କ କାନ୍ଦ ଶୁଣି ଘରେ ଶୋଇଥିବା ସ୍ବାମୀ ହରିମୋହନଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ନୀଲମଙ୍କ ପାଖକୁ ଧାଇଁ ଆସିଲା ବେଳକୁ ଏକ ସାପ ଘର ଭିତରୁ ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ସେ ଉକ୍ତ ସାପରେ ବାଡ଼ିରେ ପିଟି ମାରି ଦେଇଥି‌ଲେ। ଏହାପରେ ଅଚେତ ସ୍ତ୍ରୀଙ୍କ ସହିତ ଉକ୍ତ ମଲାସାପକୁ ଏକ ପ୍ଲାଷ୍ଟିକ ଭିତରେ ପୁରାଇ ହସ୍ପିଟାଲରେ ପହଞ୍ଚିଥିଲେ।

ସେଠାରେ ଡାକ୍ତରଙ୍କୁ ସ୍ତ୍ରୀଙ୍କ ଚିକିତ୍ସା କରିବା ସହିତ ଯେଉଁ ସାପ ସଂଶନ କରିଥିଲା ତାହାକୁ ଦେଖାଇ କହିଥିଲେ, ‘ସାର ମୋର ସ୍ତ୍ରୀ ଅନ୍ତସତ୍ତ୍ବା ଅଛି ତେଣୁ ତାର ଚିକିତ୍ସ‌ା ତୁରନ୍ତ ଆରମ୍ଭ କରନ୍ତୁ। ଆପଣଙ୍କୁ ଚିକିତ୍ସା କରିବାରେ ସୁବିଧା ହେବ ବୋଲି ନୀଲମଙ୍କୁ କାମୁଡ଼ି ଥିବା ସାପକୁ ମୁଁ ସାଥୀରେ ବି ନେଇ ଆସିଛି।’

ହରିମୋହନଙ୍କ ଏଭଳି କାମ ଦେଖି ହସ୍ପିଟାଲର ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।