ପତ୍ନୀଙ୍କୁ ବାହାରକୁ ବୁଲିବାକୁ ଯାଉଛି କହି ୟୁକ୍ରେନ ପଳାଇଲେ ସ୍ବାମୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଏବେ ଘମାଘୋଟ ଯୁଦ୍ଧ ଚାଲିଛି। ଜୀବନ ବଞ୍ଚାଇବା ପାଇଁ ଏବେ ଲୋକେ ୟୁକ୍ରେନ ଛାଡ଼ୁଛନ୍ତି। ପ୍ରାୟ ୧୦ଲକ୍ଷ ଲୋକେ ୟୁୁକ୍ରେନ ଛାଡ଼ିଥିବା ବେଳେ ଏବେ ଜଣେ ଯୁବକ ପତ୍ନୀକୁ ମିଛ କହି ୟୁକ୍ରେନ ଚାଲିଯାଇଥିବା ଜଣାପଡ଼ିଛିି। ଏହି ବ୍ୟକ୍ତିଜଣକ ବୁଲିବା ବାହାନାରେ ଘରୁ ବାହାରି ଯାଇ ବିମାନରେ ୟୁକ୍ରେନରେ ପହଞ୍ଚିଥିବା ଜଣାପଡ଼ିଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଜଣେ ବ୍ରିଟିଶ ନାଗରିକ ଏଭଳି କରିଥିବା ସାମ୍ନାକୁ ଆସିଛି। ୟୁକ୍ରେନ ସୈନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ସେ ଘରୁ ମିଛ କହି ୟୁକ୍ରେନ ଯାଇଥିବା କୁହାଯାଉଛି। ଘରୁ ବାହାରିବା ପୂର୍ବରୁ ସେ ନିଜ ପତ୍ନୀଙ୍କୁ କହିଥିଲେ ଯେ ସେ ପକ୍ଷୀ ଦେଖିବା ପାଇଁ ଯାଉଛନ୍ତି। ହେଲେ କିଛିି ସମୟ ପରେ ଜଣାପଡ଼ିଥିଲା ଯେ, ସେ ଦେଶ ବାହାରକୁ ଚାଲିଯାଇଛନ୍ତି।

ଦି ସନ୍’ର ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ଜଣେ ପୂର୍ବତନ ଯବାନ। ବ୍ରିଟେନରୁ ୟୁକ୍ରେନକୁ ଯାଇଥିବା ଏହି ବ୍ୟକ୍ତି ଦୀର୍ଘ ସମୟ ଧରି ବ୍ରିଟିଶ ସେନାରେ ସ୍ନାଇପର ଭାବରେ କାର୍ଯ୍ୟ କରିଥିଲେ। ସେ କହିଛନ୍ତି ଯେ ଏହି କଷ୍ଟ ସମୟରେ ଆମେ ୟୁକ୍ରେନର ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍। ୟୁକ୍ରେନର ଲୋକଙ୍କୁ ଅଭିଜ୍ଞ ଯବାନମାନଙ୍କର ଆବଶ୍ୟକତା ରହିଛି ଏବଂ ମୋ ପାଖରେ ସେ ଅଭିଜ୍ଞତା ରହିଛି। ଏହି ପୂର୍ବତନ ଯବାନ ରୁଷ ବିରୋଧରେ ୟୁକ୍ରେନ ସେନାକୁ ସାହାଯ୍ୟ କରିବାକୁ ଯାଇଥିବା ବେଳେ ପୂର୍ବତନ ଯବାନଙ୍କ ଏଭଳି କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି।

ସମ୍ବନ୍ଧିତ ଖବର