ନୂଆଦିଲ୍ଲୀ: ସ୍ବାମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍ (ଆଇପିସି)ର ୪୯୮ (ଏ) ଦଫାରେ ଯୌତୁକ ନିର୍ଯାତନା, ନିର୍ଯାତନା ମାମଲା ଆଗତ କରୁଥିବା ମହିଳାଙ୍କ ଅଭିଯୋଗ ଯଦି ମିଥ୍ୟା ପ୍ରମାଣିତ ହୋଇଯାଏ; ତେବେ ଏଥିପାଇଁ ତାଙ୍କୁ ଏଣିକି ବହୁମୂଲ୍ୟ ଦେବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ନବୀନ ସିହ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଦୀର୍ଘ ଶୁଣାଣି ଶେଷ କଲାପରେ ନିଜର ରାୟ ଘୋଷଣା କରିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଜଣେ ମହିଳା ଯଦି ତାଙ୍କ ସ୍ବାମୀ ଓ ସ୍ବାମୀଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍ (ଆଇପିସି)ର ୪୯୮ (ଏ) ଦଫାରେ ଯୌତୁକ ନିର୍ଯାତନା, ନିର୍ଯାତନା ମାମଲା ଆଗତ କରୁଛନ୍ତି ଏବଂ ବିଚାର କାଳରେ ମହିଳାଙ୍କ ଦ୍ବାରା ଆଗତ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇ ତାଙ୍କ ସ୍ବାମୀ ନ୍ୟାୟାଳୟ ଦ୍ବାରା ନିର୍ଦ୍ଦୋଷରେ ଖଲାସ ହୋଇ ଯାଉଛନ୍ତି, ତେବେ ସେ କ୍ଷେତ୍ରରେ ମହିଳାଙ୍କ ଏ ପ୍ରକାରର ଆଚରଣକୁ ସ୍ବାମୀଙ୍କ ପ୍ରତି ‘କ୍ରୂରତା’ ବୋଲି ବିବେଚନା କରାଯିବ। ଏବଂ ଏହାକୁ ଆଧାର କରି ତାଙ୍କ ସ୍ବାମୀ ତାଙ୍କୁ ଅବିଳମ୍ବେ ଛାଡ଼ପତ୍ର ଦେଇ ପାରିବେ। ଖାଲି, ଏତିକି ନୁହେଁ ଛାଡ଼ପତ୍ର ପରେ ତାଙ୍କ ସ୍ବାମୀ ତାଙ୍କ ଭରଣପୋଷଣ ବାବଦରେ ପଇସାଟିଏ ବି ଦେବେ ନାହିଁ ବୋଲି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।