ନୂଆଦିଲ୍ଲୀ: ଅନ୍ଲାଇନ୍ ପର୍ଣ୍ଣୋଗ୍ରାଫିକୁ ସଂପୂର୍ଣ୍ଣ ଭାବେ ନିଷେଧ କରିବା ଲାଗି ଜନୈକ ମହିଳା ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ କରିଛନ୍ତି । ଏହି ୨୭ ବର୍ଷୀୟ ମହିଳା ଦର୍ଶାଇଛନ୍ତି କି ତାଙ୍କ ସ୍ୱାମୀ ଜଣେ ପର୍ଣ୍ଣ ଆଡିକ୍ଟ। ଫଳରେ ତାଙ୍କର ବୈବାହିକ ସଂପର୍କ ଭାଙ୍ଗିବାକୁ ଯାଉଛି। ଏଣୁ ଅନ୍ଲାଇନ୍ ପର୍ଣ୍ଣୋଗ୍ରାଫି ଉପରେ ନିଷେଧାଦେଶ ନ ଲଗାଇଲେ ତାଙ୍କ ଭଳି ଅନେକଙ୍କର ଜୀବନ ନଷ୍ଟ ହୋଇଯିବ ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି।
ମୁମ୍ବାଇର ବାସିନ୍ଦା ଏହି ମହିଳା ତାଙ୍କ ବୈବାହିକ ଜୀବନ ନଷ୍ଟ ହେବା ଲାଗି ପର୍ଣ୍ଣସାଇଟ୍ ଗୁଡ଼ିକ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ପର୍ଣ୍ଣ ଦେଖିବା ଅଭ୍ୟାସ ଫଳରେ ଉକ୍ତ ମହିଳାଙ୍କର ୩୫ ବର୍ଷୀୟ ପତି ଯୌନ ବିକୃତିର ଶିକାର ହୋଇଛନ୍ତି। ପର୍ଣ୍ଣ ଦେଖିବାରେ ସେ ବ୍ୟାପୃତ ରହିଥିବାରୁ ପତ୍ନୀର ଶାରୀରିକ ଓ ସାଂସାରିକ ଆବଶ୍ୟକତା ପ୍ରତି ଉଦାସୀନ ରହୁଛନ୍ତି। କେବଳ ସେତିକି ନୁହେଁ, ମହିଳାଙ୍କ ପତି ତାଙ୍କୁ ବୁଝାମଣା ଭିତ୍ତିରେ ଛାଡ଼ପତ୍ର ଦେବାକୁ ପ୍ରସ୍ତାବ ଦେଇଛନ୍ତି।
କମଲେଶ ଭାସ୍ଓ୍ଵାନି ନାମକ ଆଇନଜୀବୀ ଅନ୍ଲାଇନ୍ ପର୍ଣ୍ଣ ନିଷେଧ କରିବାକୁ ଏକ ଆବେଦନ କରିଥିଲେ। ମହିଳା ଜଣକ ଏହି ମାମଲାରେ ପକ୍ଷଭୁକ୍ତ ଅଛନ୍ତି।
ଏହି ମାମଲାରେ ଦଖଲ କରାଯାଇଥିବା ସତ୍ୟପାଠରେ ମହିଳା ଜଣକ ଦର୍ଶାଇଛନ୍ତି -‘ମୋ ସ୍ୱାମୀ ତାଙ୍କର ବହୁମୂଲ୍ୟ ସମୟ ପର୍ଣ୍ଣ ଦେଖି ନଷ୍ଟ କରୁଛନ୍ତି। ସେ ନପୁଂସକତାର ଶିକାର ହୋଇଥିବା ହେତୁ ମୋ ସହ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ଅକ୍ଷମ। ସେ ଅନେକ ସମୟରେ ମୋତେ ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି। ଏହା ମୋ ବୈବାହିକ ସଂପର୍କ ମୋ ବୈବାହିକ ଜୀବନକୁ ନଷ୍ଟ କରିଦେବ।’
ଗତବର୍ଷ ଆଉ ଜଣେ ମହିଳା ମଧ୍ୟ ଏହି ଭଳି ଏକ ମାମଲା ଦାୟର କରିଛନ୍ତି। କେବଳ ସେତିକି ନୁହେଁ,ଜଣେ ୧୨ ବର୍ଷୀୟ ଛାତ୍ର ମଧ୍ୟ ପର୍ଣ୍ଣ ସାଇଟ୍ ବନ୍ଦ୍ ଲାଗି ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ କରିଛନ୍ତି।
ବର୍ତ୍ତମାନ ସୁପ୍ରିମ୍କୋର୍ଟ ଅନ୍ଲାଇନ୍ ପର୍ଣ୍ଣ ଉପରେ ନିଷେଧାଦେଶ କରିବା ଲାଗି ବିଭିନ୍ନ ଆଇନଗତ ଦିଗର ତର୍ଜମା କରୁଛନ୍ତି। କୋର୍ଟ ଏ ନେଇ କେନ୍ଦ୍ର ସରକାରଙ୍କର ମତ କ’ଣ ତାହା ଜଣାଇବା ଲାଗି ସରକାରଙ୍କୁ ନୋଟିସ୍ କରିିଛନ୍ତି।