ମାୟାବତୀ ଓ ଅଖିଳେଶ ଏତେ ବ୍ୟାକୁଳ କାହିଁକି

କାଉଣ୍ଟ୍‌ଡାଉନ୍‌ ୨୦୧୯

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ୧୯୯୩ରେ ମେଣ୍ଟ ସରକାର ଗଠିତ ହୋଇଥିଲା। ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଏବଂ କାଂଶୀରାମଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଏହି ମେଣ୍ଟ କରିଥିଲେ। ମୁଲାୟମ ସିଂହ ମୁଖ୍ୟମନ୍ତ୍ରୀ ହୋଇଥି‌େଲ। କିନ୍ତୁ ଏହି ମେଣ୍ଟ ସରକାର ମାତ୍ର ଦୁଇ ବର୍ଷ ଚାଲିଲା। କାଂଶୀରାମଙ୍କ ସହିତ ମତଭେଦ ଯୋଗୁଁ ୧୯୯୫ରେ ମୁଲାୟମ ସରକାରର ପତନ ଘଟିଲା। ଏହାପରେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ ବିଏସପି ନେତ୍ରୀ ମାୟାବତୀ।
ତେବେ ଏହି ମେଣ୍ଟ ଭଙ୍ଗ ପଛରେ ଥିଲା ୧୯୯୫ ମସିହା ଜୁନ ୨ ତାରିଖର ଏକ ଘଟଣା। ଏହି ତାରିଖ ଥିଲା ୟୁପି ରାଜନୀତିର ଚର୍ଚିତ ଦିନ। ସେତେବେଳେ ମୁଖ୍ୟମନ୍ତ୍ରୀ ମୁଲାୟମଙ୍କ ଗାଦି ଟଳମଳ। ମୁଲାୟମ ସରକାରରୁ ସମର୍ଥନ ପ୍ରତ୍ୟାହାର ପ୍ରସଙ୍ଗରେ ନିଜ ଦଳର ବିଧାୟକମାନଙ୍କ ସହିତ ଆଲୋଚନା କରିବା ଲାଗି ଲକ୍ଷ୍ନୌର ମୀରାବାଇ ଗେଷ୍ଟ ହାଉସରେ ମାୟାବତୀଙ୍କର ବୈଠକ ଚାଲିଥିଲା। ଏହି ିସମୟରେ ସମାଜବାଦୀ ପାର୍ଟିର ଉତ୍ତ୍ୟକ୍ତ କର୍ମୀ ଗେଷ୍ଟ ହାଉସରେ ଧସେଇପଶି ଯାଇଥିଲେ। ସେମାନେ ମାୟାବତୀଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଦଳର ବିଧାୟକମାନେ ମଧ୍ୟ ମାୟାବତୀଙ୍କୁ ସୁରକ୍ଷା ଦେଇପାରି ନଥିଲେ। ଜଣେ ବିଜେପି ବିଧାୟକ ମାୟାବତୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ମୁଲାୟମ ସରକାର ଠାରୁ ମାୟାବତୀ ସମର୍ଥନ ପ୍ରତ୍ୟାହାର କରିବା ସହିତ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ।
ଏହି ଗେଷ୍ଟ ହାଉସ ଘଟଣା ପରେ ମାୟାବତୀ ଶପଥ ନେଇଥିଲେ ଯେ ଯାହା ହୋଇଯାଉ ପଛେ ଏସପି ସହିତ ଆଉ ମେଣ୍ଟ କରିବେ ନାହିଁ। ପରବର୍ତୀ ନିର୍ବାଚନ ସମୟରେ ମୁଲାୟମ ଅନେକ ବାର ଉଦ୍ୟମ କରିଥିଲେ ମଧ୍ୟ ମାୟାବତୀ ନିଜ ଜିଦରେ ଅଟଳ ରହିଥିଲେ। କିନ୍ତୁ ମୁଲାୟମଙ୍କ ପୁଅ ଅଖିଳେଶ ସିଂହ ସମାଜବାଦୀ ପାର୍ଟିର ଦାୟିତ୍ବ ନେବାପରେ ମାୟାବତୀଙ୍କ ସହ ମେଣ୍ଟ ପାଇଁ ଉଦ୍ୟମ ଆରମ୍ଭ କଲେ। ଗେଷ୍ଟ ହାଉସ ଆକ୍ରମଣ ଘଟଣାର ୨୩ ବର୍ଷ ପରେ ଏହା କାମ ଦେଲା। ଗତବର୍ଷ ୨୦୧୮ରେ ଦୁଇ ପାର୍ଟି ମେଣ୍ଟ କରି ରାଜ୍ୟରେ ଲୋକସଭାର ଦୁଇଟି ଆସନ (ଗୋରଖପୁର ଓ ଫୁଲପୁର)ରେ ଉପନିର୍ବାଚନ ଲଢ଼ିଲେ। ଏହା ସେମାନଙ୍କ ପାଇଁ ବଡ଼ ସଫଳତା ଆଣିଦେଲା। ଉକ୍ତ ମେଣ୍ଟ ବିଜେପି ଠାରୁ ଏହି ଦୁଇଟି ଆସନକୁ ଛଡ଼ାଇ ଆଣିଥିଲା।
ଏହି ସଫଳତାରେ ଉତ୍ସାହିତ ଅଖିଳେଶ ଓ ମାୟାବତୀ ଆଉ ପଛକୁ ଫେରିବାକୁ ଚାହୁଁ ନାହାନ୍ତି। କାରଣ ୨୦୧୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଏହି ଦୁଇ ଦଳ ଘୋର ବିପର୍ଯ୍ୟୟ ସମ୍ମୁଖୀନ ହୋଇଥି‌େଲ। ୮୦ ଆସନ ମଧ୍ୟରୁ ୭୧ଟି ଜିତି ବିଜେପି ସେମାନଙ୍କୁ ଧୂଳି ଚଟାଇଥିଲା। ବିଏପସି କୌଣସି ଆସନ ଜିତି ପାରିନଥିବା ବେ‌େଳ ସମାଜବାଦୀ ପାର୍ଟି ୫ଟିରେ ବିଜୟୀ ହୋଇଥିଲା। ନିର୍ବାଚନରେ ବିଜେପିକୁ ୪୨ ଭାଗ ‌େଭାଟ ମିଳିଥିବା ବେଳେ ଏସପିକୁ ୨୨ ଏବଂ ବିଏସପିକୁ ୧୯ ଭାଗ ଭୋଟ ମିଳିଥିଲା। ଅଲଗା ହୋଇ ଲଢ଼ିଲେ ବୋଲି କ୍ଷତି ହେଲା। ଏକାଠି ଲଢ଼ିଲେ ସଫଳତା ମିଳିବ। ରାଜନୈତିକ ବିଶେଷଜ୍ଞମାନଙ୍କ ପରାମର୍ଶ ପରେ ଦୁଇ ପାର୍ଟି ଉପନିର୍ବାଚନରେ ଏକାଠି ହୋଇଥିଲେ।
ଏଭଳି ସଫଳତାକୁ ଆସନ୍ତା ଲୋକସଭା ନିର୍ବ‌ାଚନରେ ଦୋହରାଇବା ଲାଗି ଅଖିଳେଶ ଓ ମାୟାବତୀ ଯୋଜନା କରିଛନ୍ତି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମେଣ୍ଟକୁ ସଫଳତା ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ସର୍ଭେ ରିପୋର୍ଟ ଅନୁଯାୟୀ ଏସପିକୁ ୨୦ ଏବଂ ବିଏସପିକୁ ୧୫ଟି ଆସନ ମିଳିବ। ବିଜେପି ୩୧ଟି ଆସନ ହରାଇ ୪୦କୁ ଖସି ଆସିବ। କଂଗ୍ରେସକୁ ପୂର୍ବଭଳି ୨ଟି ଆସନରେ ସନ୍ତୁଷ୍ଟ ରହିବ‌ାକୁ ପଡ଼ିବ। ରାଜ୍ୟରେ କଂଗ୍ରେସ ଅବସ୍ଥା ଏବେ ବି ଶୋଚନୀୟ ରହିଥିବାରୁ ସେମାନେ ଏହି ଦଳକୁ ମେଣ୍ଟରେ ସାମିଲ କରିବାକୁ ରାଜି ହେଉ ନାହାନ୍ତି। ୨୦୨୨ରେ‌ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଉଭୟ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର