ହାଇଦ୍ରାବାଦର ୩୦ ମିନିଟ୍‌ର ଏନ୍‌କାଉଣ୍ଟର, ଯେଉଁଠି ମାରିଥିଲେ ସେଇଠି ମଲେ

ହାଇଦ୍ରାବାଦ: ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ନେଇ ଏବେ ଦେଶବ୍ୟାପୀ ସରଗରମ ଚର୍ଚ୍ଚା ଚାଲିଛି। ସାଧାରଣରେ ଏହାକୁ ବିପୁଳ ସମର୍ଥନ ମିଳିଥିବା ବେଳେ ଅନେକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏନ୍‌କାଉଣ୍ଟରକୁ ନେଇ ବିବାଦ ଉପୁଯିବା ପରେ ଏନ୍‌କାଉଣ୍ଟର ସ୍ପେ‌ସାଲିଷ୍ଟ୍‌ ତଥା ସାଇବରାବାଦ୍‌ ପୁଲିସ କମିସନର ଭି ସି ସଜ୍ଜନାର ଆଜି ଗଣମାଧ୍ୟମରେ ଏ ବାବଦ ବିସ୍ତୃତ ତଥ୍ୟ ରଖିଛନ୍ତି। ସଜ୍ଜନାର କହିଛନ୍ତି, ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ହାଜତକୁ ନେବାପରେ ସେମାନଙ୍କୁ ଗତ ୪ ଏବଂ ୫ ତାରିଖରେ ଜେରା କରାଯାଇଥିଲା। ଆଜି ତଦନ୍ତର ଏକ ଅଂଶବିଶେ‌ଷ ଭାବେ ଅଭିଯୁକ୍ତଙ୍କୁ ଅପରାଧ ସ୍ଥଳକୁ ନିଆଯାଇଥିଲା। ସେମାନଙ୍କ ସହ ୧୦ ଜଣିଆ ପୁଲିସ ଟିମ୍‌ ଥିଲେ। କିନ୍ତୁ ଅପରାଧ ସ୍ଥଳରେ ଅଭିଯୁକ୍ତମାନେ ପ୍ରଥମେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଛଡ଼ରେ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ ଏବଂ ‌ପରେ ପୁଲିସର ବନ୍ଧୁକ ଛଡ଼ାଇ ଗୁଳି ଚାଳନା କରିଥିଲେ। ପୁଲିସ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ଏଥିପ୍ରତି ସେମାନେ ଭୃକ୍ଷେପ କରିନଥିଲେ। ସେମାନେ ଗୁଳି ଚାଳନା ଜାରି ରଖିବାରୁ ପୁଲିସ ପାଲଟା କାର୍ଯ୍ୟାନୁଷ୍ଠାନ କରିଥିଲା। ଏଥିରେ ସମସ୍ତ ୪ ଜଣ ଅଭିଯୁକ୍ତ ଘଟଣାସ୍ଥଳରେ ହିଁ ନିପାତ ହୋଇଥିଲେ ଏବଂ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ୍‌ ପଠାଯାଇଥିଲା।

ହାଇଦ୍ରାବାଦର ରାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ସାଦ୍‌ନଗରର ଯେଉଁ ସ୍ଥାନରେ ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦିଆଯାଇଥିଲା, ଠିକ୍‌ ସେହିସ୍ଥାନରେ ହିଁ ଅଭିଯୁକ୍ତମାନଙ୍କୁ ନିପାତ କରାଯାଇଛି। ପୀଡ଼ିତାଙ୍କ ମୃତ ଶରୀର ଯେଉଁଠାରୁ ମିଳିଥିଲା ‌ସେଠାରୁ ମାତ୍ର କିଛି ମିଟର ଦୂରରେ ଅଭିଯୁକ୍ତଙ୍କ ମୃତଦେହ ପଡ଼ିଥିଲା। ଏହି ଖବର ଆଜି ସକାଳେ ଚାରି ଆଡ଼େ ବ୍ୟାପିଯିବା ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଜିଲ୍ଲାବାସୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିବା ସହ ପୀଡ଼ିତା ଡାକ୍ତରଙ୍କୁ ଯେଉଁ ସ୍ଥାନରେ ଜାଳି ଦିଆଯାଇଥିଲା ସେଠାରେ ବହୁ ସଂଖ୍ୟାରେ ଜନସାଧାରଣ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପୁଲିସ କମିସନର ସଜ୍ଜନାର କହିଛନ୍ତି, ଆଜି ସକାଳ ୫.୪୫ରୁ ୬.୧୫ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଅଭିଯୁକ୍ତଙ୍କ ସହ ସମୁଦାୟ ୧୦ ଜଣ ପୁଲିସ କର୍ମୀ ଥିଲେ ଏବଂ ସୁରକ୍ଷା ପର୍ଯ୍ୟାପ୍ତ ଥିଲା। ସମସ୍ତ ଅଭିଯୁକ୍ତ ସେମାନଙ୍କ ‌ଦୋଷ ସ୍ବୀକାର କରିଥିବା ସଜ୍ଜନାର କହିଛନ୍ତି। ଏନ୍‌କାଉଣ୍ଟର ସମୟରେ ଦୁଇ ଜଣ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ଏବଂ ସେମାନେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତଙ୍କଠାରୁ ୨ଟି ଅସ୍ତ୍ର ଜବତ କରାଯାଇଛି। ଘଟଣା ସ୍ଥଳରୁ ପୀଡ଼ିତାଙ୍କ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରାଯାଇଛି। ଏହା ସନ୍ଦେହ କରାଯାଉଛି ଯେ ଏହି ଅଭିଯୁକ୍ତମାନେ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ପୂର୍ବରୁ ମଧ୍ୟ ଅନେକ ଅପରାଧରେ ସେମାନଙ୍କ ସମ୍ପୃକ୍ତି ରହିଛି। ଆଜି ଏନ୍‌କାଉଣ୍ଟରରେ ନିପାତ ହୋଇଥିବା ୪ ଅଭିଯୁକ୍ତ ହେଉଛନ୍ତି ଲରି ଡ୍ରାଇଭର ମହମ୍ମଦ ଆରିଫ୍‌ (୨୬), ଚିନ୍ତାକୁଣ୍ଟା ଚେନ୍ନାକେଶାଭୁଲୁ (୨୦), ଲରି କ୍ଲିନର ଜୋଲ୍ଲୁ ଶିବ (୨୦) ଏବଂ ଜୋଲ୍ଲୁ ନବୀନ (୨୦)। ସମସ୍ତ ଅଭିଯୁକ୍ତ ତେଲେଙ୍ଗାନାର ନାରାୟଣପେଟ୍‌ ଜିଲ୍ଲାର।

ସମ୍ବନ୍ଧିତ ଖବର