ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ ଚାଲିଥିବା ବେଳେ ଇମ୍ରାନ୍ ବଶିର୍ ନାମରେ ‘ଲଶ୍କର୍-ଏ-ତୈବାର ଜଣେ ‘ହାଇବ୍ରିଡ୍ ଆତଙ୍କବାଦୀ’ ନିହତ ହୋଇଥିବା କଥା ଆଜି ପୁଲିସ କହିଛି। (ଆବଶ୍ୟକ ବେଳେ ଆତଙ୍କବାଦୀ କାର୍ଯ୍ୟକଳାପରେ ଭାଗ ନେଇ ପରେ ସ୍ବାଭାବିକ ସାମାଜିକ ଜୀବନଯାପନ କରୁଥିବା ଆତଙ୍କବାଦୀମାନଙ୍କୁ ‘ହାଇବ୍ରିଡ୍ ଆତଙ୍କବାଦୀ’ କହନ୍ତି।)
ଗ୍ରେନେଡ୍ ବିସ୍ଫୋରଣ ଯୋଗୁଁ ଶୋପିଆନ୍ ଜିଲ୍ଲାରେ ୨ଜଣ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିବା ପରେ ବଶିର୍ଙ୍କୁ ଗିରଫ କରାଯାଇଥିଲା। ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବାର ୭୮ ଘଣ୍ଟା ପରେ ଶୋପିଆନ୍ର ନାଓଗାମ୍ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା।
କଶ୍ମୀର୍ ଜୋନ୍ ପୁଲିସ କହିଛି, ‘ହାଇବ୍ରିଡ୍ ଆତଙ୍କବାଦୀ ଗିରଫଦାରି ଖବର ପ୍ରଘଟ କରାଯିବା ଏବଂ ପୁଲିସ ଓ ନିରାପତ୍ତା ବଳଙ୍କ ନିରବଚ୍ଛିନ୍ନ ଚଢ଼ଉ ଆଧାରରେ ଶୋପିଆଁର ନାଓଗାମ୍ରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଏନ୍କାଉଣ୍ଟର୍ ସମୟରେ ଇମ୍ରାନ୍ ବଶିର୍ ଗନି ନାମରେ ଜଣେ ‘ହାଇବ୍ରିଡ୍ ଆତଙ୍କବାଦୀ’ ଆଉ ଜଣେ ଆତଙ୍କବାଦୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀଙ୍କ ଆଡ୍ଡାରୁ ବା ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରତ୍ୟୁଷରେ ଶୋପିଆଁର ହର୍ମୈନ୍ରେ ଗ୍ରେନେଡ୍ ବିସ୍ଫୋରଣରେ ଉତ୍ତର ପ୍ରଦେଶର କନ୍ନୌଜ ଅଞ୍ଚଳର ଦୁଇଜଣ ଶ୍ରମଜୀବୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଗନିଙ୍କ ସମେତ ପୁଲିସ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା।