ହାଇଦ୍ରାବାଦ୍ : ହାଇଦ୍ରାବାଦ୍ରେ ଘଟିଛି ଏକ ଦୁଃଖଦ ଘଟଣା । ଖେଳ ଖେଳରେ ଚାଲି ଯାଇଛି ଜୀବନ। ଏକ ନିର୍ବନ୍ଧରେ ଖଣ୍ଡା ଖେଳ ହେଉଥିବା ବେଳେ ଖେଳାଳି ଜଣକ ନିୟନ୍ତ୍ରଣ ହରାଇବାରୁ ଜଣେ ୧୬ ବର୍ଷିୟ ବାଳକଙ୍କ ବେକରେ ବାଜି ଥିଲା । ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଠିକ୍ ସମୟରେ ଚିକିତ୍ସା କରା ନ ଯିବାରୁ ବାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ।
ଦଶମ ଶ୍ରେଣୀରେ ପଢ଼ୁଥିବା ସୟଦ ହମିଦଙ୍କ ବେକରେ ଖଣ୍ଡା ବାଜିବା ପରେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ବାଳକର ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ । ଏହା ପରେ ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ମଧ୍ୟ ଡ଼ାକ୍ତର ଚିକିତ୍ସା କରିବାକୁ ମନା କରି ଦେଇଥିଲେ । ଚିକିତ୍ସାରେ ଏତେ ବିଳମ୍ବ ହେବାରୁ ତୃତୀୟ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଳକର ମୃତ୍ୟୁ ଘଟିଥିଲା । ଡ଼ାକ୍ତରମାନେ କ’ଣ ପାଇଁ ଚିକିତ୍ସା କଲେ ନାହିଁ ବୋଲି ପଚରାଯିବାରୁ, ଚିକିତ୍ସା ପାଇଁ ଉପଯୁକ୍ତ ଯନ୍ତ୍ରପାତି ନଥିବାରୁ ଏପରି କରିଥିବା ଡ଼ାକ୍ତର ମାନେ କହିଥିଲେ ।
ସୂଚନା ଅନୁଯାୟୀ, ନିର୍ବନ୍ଧ ଅବସରରେ ବର ଘର ତରଫରୁ ଖଣ୍ଡା ଚଳାଇବାର ପ୍ରସ୍ତୁତି କରାଯାଇଥିଲା । ଏହାକୁ କରିଥିଲେ ୨୦ ବର୍ଷିୟ ମହମ୍ମଦ ଜୁନେଦ । ସେ ଦୁଇ ହାତରେ ଖଣ୍ଡା ବୁଲାଇବା ସହ ନାଚି ଥିଲେ । ନାଚିବାର କିଛି ସମୟ ପରେ ସେ ନିଜ ଉପରେ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ । ଏହା ପରେ ଏହି ଷ୍ଟଣ୍ଟ ବନ୍ଦ କରିବା ପାଇଁ କୁହା ଯାଇଥିଲେ ମଧ୍ୟ କିଛି ଲୋକଙ୍କ ଇଚ୍ଛା ଥିବାରୁ ପୁଣି ଥରେ ଏହି ଷ୍ଟଣ୍ଟକୁ ଆରମ୍ଭ କରାଯାଇଥିଲା । ଦ୍ୱିତୀୟ ଥର ସେ ନିୟନ୍ତ୍ରଣ ହରାଇ ଚାରି ପାଖରେ ଥିବା ପିଲାଙ୍କ ଉପରେ ପଡ଼ି ଯିବାରୁ ସୟଦ ହମିଦଙ୍କ ବେକରେ ଗଭୀର ଆଘାତ ଲାଗିଥିଲ । ମୃତ ବାଳକର ମା’ଙ୍କ କହିବା ଅନୁଯାୟୀ, “ଷ୍ଟଣ୍ଟ କରୁଥିବା ପିଲାଟି ମୋ ବଡ଼ ପୁଅକୁ ଆକ୍ରମଣ କରିବାକୁ ଚହୁଁଥିଲା । ପ୍ରଥମ ଚେଷ୍ଟାରେ ଅସଫଳ ହେବାରୁ ଦ୍ୱିତୀୟ ଚେଷ୍ଟାରେ ସେ ମୋ ସାନ ପୁଅକୁ ଆକ୍ରମଣ କରିଥିଲା” । ଅନ୍ୟ ପକ୍ଷରେ,ଏ ନେଇ ସୂଚନା ଦିଆଯିବା ପରେ ଜୁନେଦଙ୍କୁ ଗିରଫ କରିବା ସହ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।
ଖେଳ ଖେଳରେ ଚାଲିଗଲା ଜୀବନ: ଚିକିତ୍ସା ନ ପାଇ ମୃତ୍ୟୁ ବରଣ କଲେ ବାଳକ
/sambad/media/post_attachments/wp-content/uploads/2018/01/boy.jpeg)