ହାଇଦ୍ରାବାଦ ଅଭିମୁଖେ ୯୬ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଇନ୍ଦୋର ବିମାନ ବନ୍ଦରରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ୯୬ ଜଣ ଯାତ୍ରୀଙ୍କୁ ଧରି ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବିମାନରେ ମଝି ଆକାଶରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖା ଦେବାପରେ ସଂପୃକ୍ତ ବିମାନଟି ମଧ୍ୟପ୍ରଦେଶର ଇନ୍ଦୋର ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଥିବା ଜାଣିବାକୁ ମିଳିଛି। ଏହି ଘଟଣା ଏବେ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସୁରକ୍ଷିତ ବିମାନ ଯାତ୍ରା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ମଧ୍ୟାହ୍ନରେ ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବିମାନ ୯୬ ଜଣ ଯାତ୍ରୀଙ୍କୁ ଧରି ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ନିଜର ଉଡ଼ାଣ ଆରମ୍ଭ କରିଥିଲା। ତେବେ, ବିମାନଟି ମଝି ଆକାଶରେ ଉଡ଼ାଣ ଭରୁଥିବା ବେଳେ ହଠାତ୍‌ ବିମାନଟିରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ବିମାନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏ ପରିସ୍ଥିତରେ ବିମାନର ପାଇଲଟ ବିମାନଟିକୁ ହାଇଦ୍ରାବାଦ ନେବା ପରିବର୍ତ୍ତେ ବାଟଭାଙ୍ଗି ମଧ୍ୟପ୍ରଦେଶର ଇନ୍ଦୋର ବିମାନ ବନ୍ଦର ଅଭିମୁଖେ ନେବା ସହ ଇନ୍ଦୋର ବିମାନ ବନ୍ଦରରେ ବିମାନଟିର ଜରୁରୀକାଳିନ ଅବତରଣ କରାଇଥିଲେ। ତେବେ, ଏହି ଘଟଣାରେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଘଟଣା ସଂପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜାରିବାକୁ ମିଳିଛି।

ଏସଂପର୍କିତ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସମ୍ବନ୍ଧିତ ଖବର