ହାଇଦ୍ରାବାଦ ହୋଇପାରେ ଭାଗ୍ୟନଗର: ବିଜେପି ‘ସ୍ନେହ ଯାତ୍ରା’ ଆରମ୍ଭ କରିବ

୪୦ ବର୍ଷ ବିଜେପି ଶାସନ ଚାଲିବ: ଶାହ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ‘ଭାଗ୍ୟନଗର’ ବୋଲି କହିଛନ୍ତି। ସର୍ଦ୍ଦାର ପଟେଲ ଏଇ ଭାଗ୍ୟନଗରରେ ‘ଏକ ଭାରତ’ ଶବ୍ଦ ସୃଷ୍ଟି କରିଥିଲେ। ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସର୍ଦ୍ଦାର ପଟେଲ ଏଇଠାରୁ ଏକୀକୃତ ଭାରତର ମୂଳଦୁଆ ପକାଇଥିଲେ। ବର୍ତ୍ତମାନ ବିଜେପିର କାମ ହେଉଛି ଏହାକୁ ଆଗକୁ ବଢ଼ାଇବା ବୋଲି ପ୍ରଧାନମନ୍ତ୍ରୀ ଆଜି ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି।

ଆର୍‌ଏସ୍‌ଏସ୍‌ ଓ ବିଜେପିର ଅନେକ ନେତା ହାଇଦ୍ରାବାଦର ନାମ ଭାଗ୍ୟନଗର କରିବାକୁ ଦାବି କରିଆସୁଛନ୍ତି। ଏହି ନାମ ପରିବର୍ତ୍ତନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପଚାରିବାରୁ ସେ କହିଲେ ଯେ, ଯେତେବେଳେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବ ସେତେବେଳେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହ ବସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ଗ୍ରେଟର ହାଇଦ୍ରାବାଦ ପୌର ନିର୍ବାଚନ ପ୍ରଚାରରେ ଆସି ୨୦୨୦ରେ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦକୁ ଭାଗ୍ୟନଗର କରିବା ପାଇଁ ବିଜେପିକୁ ଭୋଟ ଦେବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳକୁ ସମାଲୋଚନା କରିବାକୁ ଯାଇ ‌ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବସମାଜ ପରିବାରବାଦ ରାଜନୀତିକୁ ଏବେ ପ୍ରତ୍ୟାଖ୍ୟାନ କରୁଛନ୍ତି। ପରିବାରବାଦ ରାଜନୀତି କରୁଥିବା ବ୍ୟକ୍ତି ଓ ଦଳଗୁଡ଼ିକ ପ୍ରତି ସାରା ଦେଶରେ ବିତୃଷ୍ଣା ଆସିଯାଇଛି।

ଏସବୁ ଦଳଗୁଡ଼ିକୁ ତିଷ୍ଠି ରହିବା କଷ୍ଟକର ହୋଇପଡ଼ିଛି। ଦେଶରେ ଯେଉଁ ଦଳଗୁଡ଼ିକ ଦୀର୍ଘଦିନ ଧରି ଶାସନ କରିଥିଲେ ସେମାନେ ଏବେ ସଂକୁଚିତ ହେବାରେ ଲାଗିଛନ୍ତି। ତେଣୁ ସେମାନଙ୍କ ଅବସ୍ଥା ଦେଖି ଆମେ ନହସି ସେମାନଙ୍କ ତ୍ରୁଟିରୁ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜେପିର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିରୋଧୀ ଯେଉଁ ପ୍ରଶ୍ନ ଉଠାଉଛନ୍ତି ତାହାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ସେମାନଙ୍କ ଦଳରେ ଗଣତନ୍ତ୍ରର ସ୍ଥିତି କ’ଣ ବୋଲି ପଚାରିଛନ୍ତି। ବିଜେପି କର୍ମୀମାନଙ୍କୁ ପଶ୍ଚିମବଙ୍ଗରେ ହତ୍ୟା କରାଯାଉଛି। ବିଜେପି ଏବେ କ୍ଷମତାରେ ରହିଛି ଏବଂ ଲୋକମାନେ ଆମକୁ ଭରସା କରିଛନ୍ତି। ଆମେ ‘ସ୍ନେହ ଯାତ୍ରା’ ଆରମ୍ଭ କରି ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଏହା ହେଉଛି ଦଳର ଚତୁର୍ଥ ଜାତୀୟ କାର୍ଯ୍ୟକାରିଣୀ ବୈଠକ, ଯାହା ଦିଲ୍ଲୀ ବାହାରେ ଅନୁଷ୍ଠିତ ହୋଇଛି।

୪୦ ବର୍ଷ ବିଜେପି ଶାସନ ଚାଲିବ: ଶାହ

ହାଇଦ୍ରାବାଦ: ଆଗାମୀ ୩୦-୪୦ ବର୍ଷ ବିଜେପିର ଯୁଗ ହେବ ଏବଂ ଭାରତ ବିଶ୍ବଗୁରୁ ପାଲଟିବ। ବଂଶବାଦୀ ରାଜନୀତି, ଜାତିଆଣବାଦ ଓ ତୁଷ୍ଟୀକରଣ ରାଜନୀତି ହେଉଛି ‘ମହାପାପ’ ଏବଂ ବର୍ଷବର୍ଷ ଧରି ଭାରତର ଦୁର୍ଭୋଗ ମୂଳରେ ଏହି କାରଣ ନିହିତ। ହାଇଦ୍ରାବାଦଠାରେ ବିଜେପିର ଦ୍ବିଦିବସୀୟ କାର୍ଯ୍ୟକାରିଣୀ ବୈଠକର ଦ୍ବିତୀୟ ଦିବସରେ ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଶାହଙ୍କ ଭାଷଣର ସାରସଂକ୍ଷେପ ଗଣମାଧ୍ୟମକୁ ପ୍ରଦାନ କରି ଏହି ସୂଚନା ଦେଇଛନ୍ତି। ଶାହ କହିଛନ୍ତି ଯେ ସମ୍ପ୍ରତି ବିଭିନ୍ନ ନିର୍ବାଚନରେ ବିଜେପି କ୍ରମାଗତ ବିଜୟଲାଭ କରିଆସୁଛି। ଏଥିରୁ ବୁଝାପଡ଼ୁଛି ଯେ ଦଳର ବିକାଶ ଓ ପ୍ରଦର୍ଶନ-ମୂଳକ ରାଜନୀତିକୁ ଲୋକେ ପସନ୍ଦ କରୁଛନ୍ତି। ଏହାଦ୍ବାରା ପାରିବାରିକ ଶାସନ ଏବଂ ଜାତିଆଣ ଓ ତୁଷ୍ଟୀକରଣମୂଳକ ରାଜନୀତିର ଅନ୍ତ ଘଟିବାକୁ ଯାଉଛି।

ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ପରି ରାଜ୍ୟର କୁଶାସନର ଅନ୍ତ ଘଟାଇବ ଏବଂ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ଓଡ଼ିଶା ପରି ରାଜ୍ୟରେ ମଧ୍ୟ କ୍ଷମତାକୁ ଆସିବ। ବିଜେପିର ପରବର୍ତ୍ତୀ ବିସ୍ତାର ଅଭିଯାନ ଦାକ୍ଷିଣାତ୍ୟରୁ ଆରମ୍ଭ ହେବ ବୋଲି ଶାହ କହିଛନ୍ତି। ଏହି ବୈଠକରେ ନିହତ ଏମ୍‌ପି ଏହସାନ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରିଙ୍କ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଥିବା ରାୟକୁ ଶାହ ଐତିହାସିକ ବୋଲି ଅଭିହିତ କରିଥିଲେ। ଶାହ କହିଥିଲେ ଯେ ଏସ୍‌ଆଇଟି ତଦନ୍ତର ସମ୍ମୁଖୀନ ହେବା ବେଳେ ମୋଦୀ ନୀରବତା ଅବଲମ୍ବନ କରିବା ସହ ସମ୍ବିଧାନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରଖିଥିଲେ। କିନ୍ତୁ ରାହୁଲ ଗାନ୍ଧିଙ୍କୁ ଇଡି ଜେରା କଲାବେଳେ କଂଗ୍ରେସ ଦଳ ଦେଶ ସାରା ଅରାଜକତା ସୃଷ୍ଟି କରିଦେଲା। ମୋଦୀ ତଦନ୍ତର ସମ୍ମୁଖୀନ ହେବା ବେଳେ ଏ ପ୍ରକାର ଡ୍ରାମା କରିନାହାନ୍ତି।

ସମ୍ବନ୍ଧିତ ଖବର