ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର, ୩ ଜଣିଆ ତଦନ୍ତ କମିସନ୍‌ ଗଠିତ

୬ ମାସ ମଧ୍ୟରେ ଆସିବ ରିପୋର୍ଟ ଅନ୍ୟ ଅଦାଲତର ଶୁଣାଣି ଉପରେ ରୋକ୍‌

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ହେବ। ସୁପ୍ରିମକୋର୍ଟ ଆଜି ଏନେଇ ୩ ଜଣିଆ ସଦସ୍ୟ ବିଶିଷ୍ଟ ତଦନ୍ତ କମିସନ୍‌ ଗଠନ କରିଛନ୍ତି। ପୂର୍ବତନ ସୁପ୍ରିମ‌କୋର୍ଟ ବିଚାରପତି ଭି ଏସ୍‌ ସିର୍‌ପୁରକର ଏହି କମିସନ୍‌ର ଅଧ୍ୟକ୍ଷତା କରିବେ। ତଦନ୍ତ କମିସନ୍‌ରେ ଥିବା‌ ଅନ୍ୟ ୨ ଜଣ ସଦସ୍ୟ ହେଉଛନ୍ତି ପୂର୍ବତନ ବମ୍ବେ ହାଇକୋର୍ଟ ବିଚାରପତି ରେଖା ବ‌ଲଦୋତା ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି ଆର୍‌ କାର୍ତ୍ତିକେୟନ। କମିସନ୍‌ ୬ ମାସ ମଧ୍ୟରେ ତଦନ୍ତ ଶେଷ କରିବେ ଏବଂ ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପକ୍ଷେ ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣାରେ ତେଲେଙ୍ଗାନା ହାଇକୋର୍ଟ ଏବଂ ଏନ୍‌ଏଚଆରସି ଦ୍ବାରା ଆରମ୍ଭ ହୋଇଥିବା ବିଚାର ପ୍ରକ୍ରିୟା ଉପରେ କୋର୍ଟ ରହିତାଦେଶ ଲାଗୁ କରିଛନ୍ତି। ମାମଲା ସଂକ୍ରାନ୍ତ କୌଣସି ଆବେଦନର ଶୁଣାଣି ଅନ୍ୟ କୌଣସି କୋର୍ଟରେ ହେବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରି‌ମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାରେ ନିରପେକ୍ଷ ତଦନ୍ତ ଦାବିରେ ହୋଇଥିବା ୨ଟି ପିଆଇଏଲ୍‌ର ଶୁଣାଣି କରି ଏହା କହିଛନ୍ତି। ‌ତେବେ ତେଲେଙ୍ଗାନା ସରକାର ଉକ୍ତ ଏନ୍‌କାଉଣ୍ଟରକୁ ଯୁକ୍ତିସଙ୍ଗତ ବୋଲି ଦର୍ଶାଇ ଦୃଢ଼ ସମର୍ଥନ କରିଛନ୍ତି। ଗତ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ୍‌ ପୁଲିସ ଏନ୍‌କାଉଣ୍ଟରେ ମାରିଥିଲା।

ସମ୍ବନ୍ଧିତ ଖବର