ହାଇଦ୍ରାବାଦ ଲଢ଼େଇ, ହାଇଭୋଲ୍‌ଟେଜ ପ୍ରଚାର ଶେଷ

ଶାହଙ୍କ ମେଗା ରୋଡ୍‌ ସୋ, ଟାର୍ଗେଟ୍‌ରେ ଏଆଇଏମ୍‌ଆଇଏମ୍‌

ନୂଆଦିଲ୍ଲୀ: ଗ୍ରେଟର୍‌ ହାଇଦରାବାଦ ମ୍ୟୁନିସିପାଲ୍‌ କର୍ପୋରେସନ (ଜିଏଚ୍‌ଏମ୍‌ସି) ନିର୍ବାଚନ ପାଇଁ ଚାଲିଥିବା ହାଇଭୋଲ୍‌ଟେଜ ପ୍ରଚାର ଅଭିଯାନ ଆଜି ଶେଷ ହୋଇଛି। ଏହି ନିଗମର ୧୫୦ ଆସନ ପାଇଁ ଆସନ୍ତା ୧ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ। ପୂର୍ବ ନିର୍ବାଚନରେ ମାତ୍ର ୪ଟି ଆସନରେ ନିର୍ବାଚନ ଜିତିଥିବା ବିଜେପି ଏଥର ନିଗମ ଦଖଲ ପାଇଁ ସବୁ ଶକ୍ତି ଖଟାଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବିଶାଳ ରୋଡ୍‌ ସୋ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଏଆଇଏମ୍‌ଆଇଏମ୍‌, ଟିଆର୍‌ଏସ୍‌ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଶାହ କହିଛନ୍ତି ଯେ ରୋହିଙ୍ଗ୍ୟା ମୁସ୍‌ଲିମଙ୍କୁ ନେଇ ଯେତେବେଳେ ବି କାର୍ଯ୍ୟାନୁଷ୍ଠାନ ହେଉଛି ସେତେବେଳେ ବିରୋଧୀ ଦଳ ସେମାନଙ୍କ ସପକ୍ଷରେ ଚିତ୍କାର କରୁଛନ୍ତି।

ବିଶେଷ କରି ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି ଯଦି ସତରେ ରୋହିଙ୍ଗ୍ୟା ସମସ୍ୟାର ସମାଧାନ ଚାହୁଛନ୍ତି ତା’ହେଲେ ସେ ଥରେ ଏ ବାବଦରେ ଲିଖିତ ଭାବେ ଦିଅନ୍ତୁ ଏବଂ ସରକାର କ’ଣ କରୁଛନ୍ତି ଦେଖନ୍ତୁ ବୋଲି ଗୃହମନ୍ତ୍ରୀ କହିଛନ୍ତି। ବିଜେପି କ୍ଷମତାକୁ ଆସିଲେ ହିଁ ହାଇଦ୍ରାବାଦକୁ ‘ନିଜାମ ସଂସ୍କୃତି’ରୁ ମୁକ୍ତି ମିଳିବ ବୋଲି ଶାହ କହିଛନ୍ତି। ନଗର ନିଗମ ନିର୍ବାଚନ ପାଇଁ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜୋର୍‌ଦାର ପ୍ରଚାର କରିଛନ୍ତି।

ସମ୍ବନ୍ଧିତ ଖବର