ହାଇଦ୍ରାବାଦ: ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ। ଦୈନନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟ ହେବାରୁ ଜୀବନ ହାରିଲେ ଦମ୍ପତି। ପ୍ରଥମେ ନିଜ ପୁଅ-ଝିଅଙ୍କ ଗଳା ଚିପି ହତ୍ୟା କରିବା ପରେ ସ୍ବାମୀ-ସ୍ତ୍ରୀ ଜୀବନ ହାରିଥିବା ଜଣାଯାଇଛି। ଏନେଇ ଖବର ମିଳିବା ପରେ ପୁଲିସ ୪ଟି ମୃତଦେହ ଜବତ କରିଛି। ମୃତକଙ୍କମାନେ ହେଲେ ଚନ୍ଦ୍ରଶେଖର ରେଡ୍ଡୀ(୪୪) ଓ କବିତା ରେଡ୍ଡୀ(୩୫)। ମୃତ ପୁଅ-ଝିଅଙ୍କ ବୟସ ଯଥାକ୍ରମେ ୧୦ ଓ ୧୩ଥିଲା ବୋଲି କହିଛି ପୁଲିସ।
ତଦନ୍ତ ପରେ ପୁଲିସକୁ ଏକ ସୁଇସାଇଡ୍ ନୋଟ୍ ମିଲିଛି। ସେଥିରେ ଲେଖାଯାଇଛି ଯେ, "ଜୀବନକୁ ଶେଷ କରିବା ବ୍ୟତୀତ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଦୟାକରି ମୋତେ କ୍ଷମା କରିବେ। ମୁଁ ମୋ କ୍ୟାରିୟରରେ ସଂଘର୍ଷ କରୁଥିଲି ଏବଂ ମାନସିକ ଏବଂ ଶାରୀରିକ ଭାବରେ କଷ୍ଟ ପାଉଥିଲି। ମୁଁ ମଧୁମେହ, ସ୍ନାୟୁ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ମଧ୍ୟ ପୀଡିତ ଥିଲି।"
ପୋଲିସ କହିଛି ଯେ, ଚନ୍ଦ୍ରଶେଖର ପୂର୍ବରୁ ଏକ ଘରୋଇ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୨୩ ପରଠାରୁ ସେ ବେରୋଜଗାର ଥିଲେ। ଧୀରେ ଧୀରେ ପାଖରେ ଥିବା ଟଙ୍କା ସରିବାରୁ ଚିନ୍ତାରେ ପଡ଼ିଥିଲେ ଚନ୍ଦ୍ରଶେଖର। ଶେଷରେ ସେ ଜୀବନ ହାରିବା ଉଚିତ୍ ହେବ ବୋଲି ଭାବି ନେଇଥିଲେ। ଘଟଣାଟି ସୋମବାର ଘଟିଥିବା ବେଳେ ଏବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।