ଡୋନାଲ୍ଡ ଟ୍ରମ୍ପଙ୍କ କନ୍ୟାଙ୍କ ଗସ୍ତ ପାଇଁ ପ୍ରଶାସନ ବୁଲା କୁକୁରକୁ ବିଷ ଦେଇ ମାରୁଛି !

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କନ୍ୟା ଇଭାଙ୍କା ଟ୍ରମ୍ପସ୍‌ ଚଳିତ ମାସରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଏଣ୍ଟ୍ରରପ୍ରେନରସିପ୍‌ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିବେ। ଏ ନେଇ ସହରର ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଗତ ସପ୍ତାହରେ ହାଇଦ୍ରାବାଦ ସରକାର ୧୦୦ରୁ ଊର୍ଧ୍ୱ ଭିକାରିଙ୍କୁ ରାସ୍ତାରୁ ହଟାଇ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଏହାପରେ ଗ୍ରେଟର ହାଇଦ୍ରାବାଦ ନଗର ନିଗମ (ଜିଏଚଏମ୍‌ସି)  ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦେଉଥିବାର ଅଭିଯୋଗ ଆସିଛି।

ସୂଚନାଯୋଗ୍ୟ, ଏଇ କିଛି ଦିନ ହେବ ଜିଏଚଏମସ ରାସ୍ତାରୁ ସମସ୍ତ ବୁଲା କୁକୁରଙ୍କୁ ଧରି ନେଇ ଯାଉଛନ୍ତି। ପଶୁ ଅଧିକାର କାର୍ଯ୍ୟକର୍ତ୍ତା ଜିଏଚଏମସ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଜିଏଚଏମସ କୁକୁରମାନଙ୍କୁ ବିଷ ଦେଇ ଦେଉଛନ୍ତି। ଫଳରେ କେତେକ କୁକୁରଙ୍କ ମୃତ୍ୟୁ ହେବା ସହିତ ଅନେକ କୁକୁର ଏକ ଗମ୍ଭୀର ରୋଗରେ ପୀଡ଼ିତ ହେଉଛନ୍ତି।

ସେପ୍ଟେମ୍ବରରେ ଗ୍ରେଟର ହାଇଦ୍ରାବାଦରେ ପାଖାପାଖି ୮.୪ ଲକ୍ଷ ବାରବୁଲା ମଧ୍ୟରୁ ୧.୬ଲକ୍ଷ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା। ଏହା ପୂର୍ବରୁ ସହରକୁ ନିର୍ମଳ ରଖିବା ପାଇଁ ଅଧିକାରୀମାନେ ଭିକାରୀମାନଙ୍କୁ ରାସ୍ତାରୁ ହଟାଇ ଥଇଥାନ୍‌ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର