ହାଇଦ୍ରାବାଦ ପୁଲିସର ଏନ୍‌କାଉଣ୍ଟରେ ମୃତ ୪ ଅଭିଯୁକ୍ତଙ୍କ ଶବକୁ ୯ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ତେଲେଙ୍ଗାନ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏନ୍‌କାଉଣ୍ଟର ‌ନେଇ ପ୍ରଶ୍ନ ଉଠାଇଲେ ଅଭିଯୁକ୍ତ ପରିବାର

ହାଇଦ୍ରାବାଦ୍‌ : ହାଇଦ୍ରାବାଦ ପୁଲିସର ଏନ୍‌କାଉଣ୍ଟର ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇଥିବା ବେଳେ ୪ ଅଭିଯୁକ୍ତଙ୍କ ଶବକୁ ୯ ଡିସେମ୍ବର ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ତେଲେଙ୍ଗାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏ ବାବଦରେ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ପରିବାରକୁ ଶବ ହସ୍ତାନ୍ତର ପ୍ରକ୍ରିୟା ବନ୍ଦ ରଖାଯାଇଛି।

ଜଣେ ଅଭିଯୁକ୍ତ ଚିନ୍ତାକୁଣ୍ଟା ଚେନ୍ନାକେସାଭୁଲୁର ପତ୍ନୀ ରେଣୁକା (୧୭) କହିଛନ୍ତି, ‌ମୋ ସ୍ବାମୀଙ୍କୁ ଯେଉଁଠି ମାରି ଦିଆଯାଇଛି ମୋତେ ମଧ୍ୟ ସେଠାକୁ ନେଇ ମାରି ଦିଆଯାଉ। ମୁଁ ମରିବାକୁ ଚାହେ ବୋଲି ସେ କହିଛନ୍ତି। ୪ ଅଭିଯୁକ୍ତଙ୍କ ମଧ୍ୟରେ କେବଳ ଚେନ୍ନାକେସାଭୁଲୁ ବିବାହ କରିଥିଲା। ତା’ର ମୃତ୍ୟୁକୁ ନେଇ ପରିବାର ଲୋକେ ଆଚମ୍ବିତ ହୋଇ ଯାଇଛନ୍ତି। ରେଣୁକା କହିଛନ୍ତି, ପୁଲିସ ପ୍ରତିଶ୍ରୁତି ଦେଇଥିଲା ଯେ ଜେରା ପରେ ତାଙ୍କୁ ଛଡ଼ାଯିବ। କିନ୍ତୁ ତାକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି। ଯଦି ସେ କିଛି ଅପରାଧ କରିଥିଲା ତେବେ କୋର୍ଟରେ ନିଷ୍ପତ୍ତି ହୋଇଥାନ୍ତା ଏବଂ ମୃତ୍ୟୁଦଣ୍ଡ ମିଳିଥାନ୍ତା। ଅନ୍ୟ ଜଣେ ଅଭିଯୁକ୍ତ ଜୋଲ୍ଲୁ ଶିବର ବାପା ଜୋଲ୍ଲୁ ରାଜାପ୍ପା କହିଛନ୍ତି ତାଙ୍କ ପୁଅକୁ ହତ୍ୟା କରି ପୁଲିସ କିଛି ଭୁଲ୍‌ କରିଛି ବୋଲି ସେ ଜାଣିପାରୁନାହାନ୍ତି। ସମଗ୍ର ବିଶ୍ବ କହୁଛି ମୋ ପୁଅ ଏଭଳି ଘୃଣ୍ୟ ଅପରାଧ କରିଛି। ମୋ ପୁଅକୁ ଦଣ୍ଡ ମିଳିଲା। ତେବେ ରାଜପ୍ପା କହିଛନ୍ତି ପୁଲିସ ଅନ୍ୟ ଦୁଷ୍କର୍ମକାରୀଙ୍କ କ୍ଷେତ୍ରରେ ବି ସମାନ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବା ଉଚିତ। ଚୋଲ୍ଲୁ ନବୀନର ବାପା ୟେଲ୍ଲାପା କହିଛନ୍ତି, ପୁଲିସ ଦ୍ବାରା ତାଙ୍କ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ତାଙ୍କ ପୁଅ ସହ ଦେଖା କରିବାକୁ ଅନୁମତି ଦେଇନଥିଲା । ସମ୍ପୂର୍ଣ୍ଣ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ପୁଲିସ କାହିଁକି ‌ଏମିତି ଦଣ୍ଡ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍‌ର ମା’ ପୁଅର ମୃତ୍ୟୁ ଖବର ଶୁଣି ବେହୋସ ହୋଇ ଯାଇଥିଲେ। ସେ ଏସଂକ୍ରାନ୍ତରେ କୌଣସି ଟିପ୍ପଣୀ ରଖିନାହାନ୍ତି।

ସମ୍ବନ୍ଧିତ ଖବର