ହାଇଦ୍ରାବାଦ୍: ତେଲେଙ୍ଗାନାରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କୁ ଉଚିତ୍ ଦଣ୍ଡ ମିଳୁ ବୋଲି ଦେଶବସୀ ଦାବି କରିବା ଆରମ୍ଭ କରିଛନ୍ତି। ଏହା ସହ ପୀଡିତାଙ୍କ ମା’ ଅଭିଯୁକ୍ତମାନଙ୍କୁ ଜିଅନ୍ତା ଜାଳିଦେବାକୁ ଦାବି କରିବା ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ତେଲେଙ୍ଗାନାର ରାଜ୍ୟ ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି। ତେଲେଙ୍ଗାନାର ରାଜ୍ୟ ଗୃହମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲ୍ଲୀଙ୍କ କହିବା ମୁତାବକ, ‘ମୃତ ମହିଳା ଡାକ୍ତର ଶିକ୍ଷିତା ଥିଲେ। ଯଦି ସେ ନିଜ ଭଉଣୀକୁ ଫୋନ ନ କରି ୧୦୦ନମ୍ବର ଡାଏଲ କରି ପୁଲିସକୁ ଫୋନ କରିଥାନ୍ତେ, ହୁଏତ ତାଙ୍କ ଜୀବନ ବଞ୍ଚି ପାରିଥାନ୍ତା’

Advertisment

ସୂଚନା ମୁତାବକ, ୪ଜଣ ଅଭିଯୁକ୍ତ ଜାଣିଶୁଣି ପ୍ରଥମେ ଡାକ୍ତର ପ୍ରିୟାଙ୍କ (ଛଦ୍ମନାମ) ଟାୟାର ପଙ୍କଚର କରିବା ସହ ପରେ ସାହାଯ୍ୟର ହାତ ବଢ଼ାଇଥିଲେ।  ପରେ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ନେଇଯିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ସନ୍ଦେହ କରାଯାଉଛି । ମାତ୍ର ଧରା ପଡ଼ିବା ଡ଼ରରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଓଢ଼ଣିରେ ଗୁଡ଼ାଇ ଆଣି ଓଭରବ୍ରିଜ୍ ତଳେ ଫିଙ୍ଗି ଦେଇଥିଲେ। ଏହା ପ‌ରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତେବେ ହତ୍ୟା କରାଯାଇଥିବା ସ୍ଥାନରୁ ୨୫କିଲୋମିଟର ଦୂରରେ ପୀଡ଼ିତାଙ୍କ ମୃତଦେହକୁ ପୋଡ଼ାଯାଇଥିଲା। ଏତେ ସବୁ ଘଟଣା ଘଟିବା ପୂର୍ବରୁ ପୀଡ଼ିତା ନିଜ ଭଉଣୀକୁ ଫୋନ କରିଥିଲେ। ୯ଟା ୨୨ ମିନିଟରେ ପୂରା ଘଟଣା ଜଣାଇବା ପରେ ୯ଟା ୪୪ମିନିଟରେ ପ୍ରିୟାଙ୍କ ଫୋନ ବନ୍ଦ ହୋଇ ଯାଇଥିଲା। ଯାହା ପରେ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା।