ହାଇଦ୍ରାବାଦ : ଦିଲ୍ଲୀର ନିର୍ଭୟା ଭଳି ହାଇଦ୍ରାବାଦରେ ମଧ୍ୟ ଅତି ବୀଭତ୍ସ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତମାନେ। ସେମାନେ ଜଣେ ମହିଳା ପ୍ରାଣୀ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଛନ୍ତି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ େପାଲିସ ୪ ଜଣଙ୍କୁ ଗିରଫ କରିଛି। ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟକୁ ହସ୍ତାନ୍ତର କରାଯାଇଥିବା ବେଳେ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ବୁଧବାର ରାତିରେ ଦୁର୍ବୃତ୍ତମାନେ ଏହି ଅମାନବୀୟ କାଣ୍ଡ ଘଟାଇଛନ୍ତି। କ୍ଲିନିକରୁ ଘରକୁ ଫେରିବା ସମୟରେ ଏକ ଟୋଲ ପ୍ଲାଜା ନିକଟରେ ସେମାନେ ଏହି ମହିଳା ଡାକ୍ତରଙ୍କ ସ୍କୁଟିର ଟାୟାର ପଙ୍କଚର୍ କରିଦେଇଥିଲେ। ଗାଡ଼ି ସଜାଡ଼ିବା ବାହାନାରେ ତାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ଏହି ମାମଲାରେ ଯେଉଁ ୪ ଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଉଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର।
ଗଣଦୁଷ୍କମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତର ଜଣକ ହାଇଦ୍ରାବାଦର ସାଦ୍ନଗରରେ ପରିବାର ସହିତ ରହୁଥିଲେ। ସେ କୋଲ୍ଲୁର ସରକାର ପ୍ରାଣୀ ଚିକିତ୍ସାଳୟରେ କାମ କରୁଥିଲେ। ୨୬ ବର୍ଷୀୟା ଡାକ୍ତର ପ୍ରତ୍ୟେକ ଦିନ ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥ ସ୍ଥିତ ତୋଣ୍ଡୁପଲ୍ଲୀ ଟୋଲ୍ ପ୍ଲାଜା ନିକଟରେ ସ୍କୁଟି ପାର୍କ କରୁଥିଲେ ଏବଂ ସେଠାରୁ କ୍ୟାବ୍ରେ କ୍ଲିନିକ୍ ପର୍ଯ୍ୟନ୍ତ ଯାଉଥିଲେ। ବୁଧବାର ହସ୍ପିଟାଲ କାମ ସାରି ସେ ରାତି ପ୍ରାୟ ୯ଟା ବେଳେ ଟୋଲ୍ ପ୍ଲାଜାରେ ପହଞ୍ଚିଥିଲେ ଏବଂ ତାଙ୍କ ସ୍କୁଟି ଟାୟାର ପଂକ୍ଚର ହୋଇଥିବା ଦେଖିଥିଲେ। ଏହାପରେ ସେ ତାଙ୍କ ଭଉଣୀଙ୍କୁ ଫୋନ୍ କରି ଟାୟାର ପଂକ୍ଚର ସଂପର୍କରେ ଖବର ଦେଇଥିଲେ। ଏହାର କିଛି ସମୟ ପରେ ସେ ପୁଣି ଭଉଣୀଙ୍କୁ ଫୋନ୍ କରି ଜଣେ ବ୍ୟକ୍ତି ଗାଡ଼ି ସଜାଡ଼ିବାକୁ ଅନ୍ୟତ୍ର ନେବାକୁ ହେବ ବୋଲି କହୁଥିବା ଜଣାଇଥିଲେ। ତେବେ ସେଠାରେ କେବଳ କିଛି ଟ୍ରକ୍ ଥିବା ଏବଂ ଡ୍ରାଇଭରମାନେ ଆଡ଼ା ଜମାଇଥିବାରୁ ତାଙ୍କୁ ଡର ଲାଗୁଥିବା କହିଥିଲେ। ଏହି ସମୟରେ ସେ ଭୟଭୀତ ଥିଲେ ବୋଲି ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ଏହାପରେ ଭଉଣୀଙ୍କ ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ରାତି ୯ଟା ୪୪ରେ ଫୋନ୍ ବନ୍ଦ ହୋଇଯାଇଥିଲା। ପରିବାର ଲୋକେ ପ୍ଲାଜା ନିକଟରେ ପହଂଚି ତାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏସଂପର୍କରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।
ସକାଳେ ଏକ କଲଭର୍ଟ ତଳେ ପୋଡ଼ା ଶବ ପଡ଼ିଥିବାର ପୋଲିସକୁ ଖବର ମିଳିଥିଲା। ତାଙ୍କ ପରିବାର ସହାୟତାରେ ପୋଲିସ ଶବ ଚିହ୍ନଟ କରିଥିଲା। ଶବ ପୋଡ଼ିଯାଇଥିବାରୁ କିଛି ପରୀକ୍ଷା ସମ୍ଭବ ନୁହେଁ। ତେବେ ପୋଲିସ ସନ୍ଦେହ କରୁଛି ଯେ ୪ ଜଣ ମଦ୍ୟପ ଟ୍ରକ ଡ୍ରାଇଭର ଏବଂ ହେଲପର ଡାକ୍ତରଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ଏବଂ ଗୁରୁବାର ସକାଳ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କୁ ହତ୍ୟା କରି ୩୦ କିମି ଦୂରରେ ଅବସ୍ଥିତ ଏକ ପୋଲ୍ ତଳକୁ ନେଇଥିଲେ ଏବଂ ସେଠାରେ ଶବକୁ ଜାଳି ଦେଇଥିଲେ।
ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀ କହିଛନ୍ତି ଯେ ମହିଳା ଡାକ୍ତର ଭଉଣୀଙ୍କୁ ଫୋନ୍ କରିବା ବଦଳରେ ୧୦୦ ନମ୍ବର ଡାଏଲ କରିଥାନ୍ତେ ପୋଲିସ ମାତ୍ର ୩ ମିନିଟ୍ରେ ପହଞ୍ଚି ତାଙ୍କୁ ସହାୟତା ଦେଇଥାନ୍ତା। ଏବଂ ତାଙ୍କର ଜୀବନ ରକ୍ଷା ପାଇଯାଇଥାନ୍ତା। ପୀଡ଼ିତାଙ୍କ ଏହି ଛୋଟ ଭୁଲ୍ ପାଇଁ ଏତେ ବଡ଼ କାଣ୍ଡ ଘଟିଲା ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଏହି କାଣ୍ଡକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିଭଳି ତାଙ୍କ ମାଆ ଦାବି କରିଛନ୍ତି ଯେ ଅପରାଧୀମାନଙ୍କୁ ଜିଅନ୍ତା ଜାଳି ଦିଆଯାଉ।