ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ : ‘ଦୋଷ କରିଥିଲେ ମୋ ପୁଅକୁ ଜାଳିଦିଅ’

ଧରା ପକାଇଦେଲା ଟାୟାର ମେକାନିକ୍‌, ସିସିଟିଭି

ହାଇଦ୍ରାବାଦ : ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବର୍ବର କାଣ୍ଡର ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ଉଠିଛି। ଏଭଳି ସମୟରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତଙ୍କ ପିତାମାତା ମଧ୍ୟ ଲୋକଙ୍କ ସହ ସ୍ବର ମିଳାଇଛନ୍ତି। ‘ଯଦି ମୋ ପୁଅ ଅପରାଧ କରିଥିବ ତାହେଲେ ତାକୁ ଜିଅନ୍ତା ଜାଳିଦିଅ। ପୁଅ ମୋ ପାଇଁ କିଛି ନୁ‌େହଁ। ଭୁଲ୍‌ ହିଁ ଭୁଲ୍‌’ ବୋଲି ମାମଲାର ଚତୁର୍ଥ ଅଭିଯୁକ୍ତ ଚେନ୍ନକେଶଭୁଲୁର ମାଆ ଜୟାମ୍ମା ଗଣମାଧ୍ୟମକୁ କହିଛନ୍ତି। ପୀଡ଼ିତାଙ୍କ ମା’ଙ୍କୁ ଗଭୀର ସମବେଦନା ଜଣାଇ ସେ କହିଛନ୍ତି, ସେ ୯ ମାସ ଗର୍ଭଧାରଣ କରି ଝିଅ ଜନ୍ମ ଦେଇଛନ୍ତି। ମୋର ମଧ୍ୟ ଗୋଟିଏ ଝିଅ ଅଛି; ଏହି ଦୁଃଖକୁ ମୁଁ ବହୁତ ଭଲ ଭାବେ ବୁଝିପାରୁଛି।

ଜୟାମ୍ମା ଏହା ମଧ୍ୟ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଆରିଫ ତାଙ୍କ ପୁଅକୁ ସାଙ୍ଗରେ ନେବା ଲାଗି ଗତ ମଙ୍ଗଳବାର ତାଙ୍କ ଘରକୁ ଆସିଥିଲା। ବୁଧବାର ପୁଅ ଫେରିବାର ଥିଲା। କିନ୍ତୁ ସେ ଫେରିଲା ନାହିଁ। ତାଙ୍କ ପୁଅର କିଡ୍‌ନି ସମସ୍ୟା ଥିବାରୁ ଗତ ୬ ମାସ ସେ କିଛି କାମଧନ୍ଦା ନକରି ଘରେ ବସିଥିଲା ଓ ହାଇଦ୍ରାବାଦର ଏକ ଡାକ୍ତରଖାନ‌ାରେ ତାକୁ ଚିକିତ୍ସା କରାଯାଉଥିଲା। ସେ ଏଭଳି କାମ କରିଥିବ ବୋଲି ମୋର ବିଶ୍ବାସ ହେଉନି। କିନ୍ତୁ ଯଦି ସେ ସେହି ଅପରାଧ କରିଥିବ ତାକୁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜୟାମ୍ମା କହିଛନ୍ତି।

ମୁଖ୍ୟ ଅଭିଯୁକ୍ତ ଆରିଫର ବାପା ହୁସେନ ମଧ୍ୟ କହିଛନ୍ତି, ତାଙ୍କ ପୁଅ ଦଣ୍ଡିତ ହେବା ଉଚିତ। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପିତାମାତା କହିଛନ୍ତି, ଯଦି ସେମାନଙ୍କ ପୁଅ ଦୋଷୀ ତାହେଲେ ସେମାନଙ୍କୁ ଦଣ୍ଡିତ କରାଯାଉ।

ଅନ୍ୟପକ୍ଷରେ ଏହି ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଧରିବାରେ ଜଣେ ଟାୟାର ମେକାନିକ୍ ଏବଂ ଟୋଲ ପ୍ଲାଜାରେ ଲାଗିଥିବା ସିସିଟିଭି ବିଶେଷ ସହାୟକ ହୋଇଛି। ସାଇବରାବାଦ ପୁଲିସକୁ ଜଣେ ସ୍ଥାନୀୟ ଟାୟାର ମେକାନିକର ସୂଚନା ଏ ଦିଗରେ ବିଶେଷ ସହାୟକ ହୋଇଥିଲା। ପୀଡ଼ିତାଙ୍କ ସାନ ଭଉଣୀ ପ୍ରଥମେ ପୁଲିସକୁ କହିଥିଲା ଯେ, କେତେକ ଅଜଣା ବ୍ୟକ୍ତି ତାଙ୍କ ଭଉଣୀଙ୍କୁ ସାହାଯ୍ୟ କରିବାକୁ ଅର୍ଥାତ୍ ଟାୟାର ପଙ୍କଚର ମରାମତି କରିଦେବାକୁ କହି ଆଗେଇ ଆସିଥିଲେ। ଏହି ସୂଚନାକୁ ଆଧାର କରି ପୁଲିସ ତାହାର ତଦନ୍ତ ଆରମ୍ଭ କରିଦେଇଥିଲା। ସେଠାକାର ଟାୟାର ମେକାନିକମାନଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲା। ଟୋଲ ପ୍ଲାଜା ନିକଟ ଟାୟାର ମେକାନିକକୁ ପଚାରିବା ପରେ ସେ କହିଥିଲା ଜଣେ ବ୍ୟକ୍ତି ଏକ ନାଲି ରଙ୍ଗର ମାଏଷ୍ଟ୍ରୋ ସ୍କୁଟି ଆଣି ଆସିଥିଲା। ସେଠାରେ ପମ୍ପ ଦେବା ପରେ ପଳାଇଥିଲା। ଟ୍ରାଫିକର ବିପରୀତ ଦିଗରେ ସେହି ବ୍ୟକ୍ତିଟି ଆସିଥିଲା ବୋଲି ମେକାନିକ ଜଣକ କହିଥିଲା। ଏହାପରେ ‌ଆମେ ସେହି ମାର୍ଗରେ ‌ଅନୁସନ୍ଧାନ ଆରମ୍ଭ କରିଦେଇଥିଲୁ। ସେହି ରାସ୍ତାରେ ଥିବା ଏକ କାରଖାନାର ସିସିଟିଭିକୁ ଯାଞ୍ଚ କରିଥିଲୁ। ଏହାକୁ ଦେଖିବା ପରେ ଦୁଇଜଣ ଅଭିଯୁକ୍ତ ସ୍କୁଟିରେ ଆସିଥିବା ଜଣାପଡ଼ିଲା। ଅନ୍ୟ ଏକ ସିସିଟିଭି ଫୁଟେଜରୁ ଜଣା ପଡ଼ିଥିଲା ରାସ୍ତାର ଏକ ସ୍ଥାନରେ ଗୋଟିଏ ଟ୍ରକ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା। କିନ୍ତୁ ସେହି ଅଞ୍ଚଳଟି ଅନ୍ଧାର ହୋଇଥିବାରୁ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ଯାଞ୍ଚ କରିପାରି ନଥିଲୁ। ତେବେ ସିସିଟିଭିକୁ ପଛକୁ ଘୂରାଇବାରୁ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ମାଲିକ ଶ୍ରୀନିବାସ ରେଡ୍ଡୀଙ୍କ ସୂଚନା ମିଳିଥିଲା। ଏହାପରେ ସବୁ ବିଷୟ ପଦାକୁ ଆସିଯାଇଥିଲା। ସେହିଭଳି ଯେଉଁ ପେଟ୍ରେଲ ପମ୍ପରୁ ଅଭିଯୁକ୍ତ ପେଟ୍ରୋଲ କିଣିଥିଲା ସେଠାକାର ସିସିଟିଭିରୁ ମଧ୍ୟ ତା’ର ଚେହେରା ଜଣାପଡ଼ିଯାଇଥିଲା। ମୋବାଇଲ ଫୋନର ସ୍ଥିତି ଏବଂ ଟ୍ରକ ମାଲିକ ଦେଇଥିବା ସୂଚନା ଆଧାରରେ ପୁଲିସ ପ୍ରଥମେ ଆରିଫକୁ ଧରିଥିଲା। ଏହାପରେ ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର