ଇମ୍ଫାଲ : ଇମ୍ଫାଲରେ ଶୁକ୍ରବାର ସକାଳେ ଚର୍ଚ୍ଚା ଖେଳି ଯାଇଥିଲା ଯେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଇସ୍ତଫା ଦେବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟାରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି କୁହାଯାଉଥିଲା। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପାଇଁ ବାସଭବନରୁ ବାହାରିବା ମାତ୍ରେ ଇମ୍ଫାଲରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ହଜାର ହଜାର ଆନ୍ଦୋଳନକାରୀ (ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ) ତାଙ୍କୁ ଅଟକାଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଗକୁ ବଢ଼ିବାକୁ ଦେଇନଥିଲେ ଏବଂ ମୁଖ୍ୟମନ୍ତ୍ରୀ କୌଣସି ସ୍ଥିତିରେ ବି ଇସ୍ତଫା ନଦେବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଉନାହାନ୍ତି ବୋଲି ସେଠାରେ ହିଁ ଘୋଷଣା କରିବାକୁ ଜୋରଦାର ଦାବି ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେନାହିଁ ବୋଲି ଲୋକଙ୍କୁ ଆଶ୍ବସ୍ତ କରିଥିଲେ। ବହୁ ସଂଖ୍ୟାରେ ମହିଳା ସମର୍ଥକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ରୁଣ୍ଡ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାପତ୍ର ଧରି ଦୁଇଜଣ ମନ୍ତ୍ରୀ ତାଙ୍କ ବାସଭବନରୁ ବାହାରିବା ବେଳେ ସମର୍ଥକମାନେ ଉକ୍ତ ଇସ୍ତଫାପତ୍ର ଚିରି ଦେଇଥିଲେ। ବୀରେନ ସିଂହ ପରେ ସ୍ପଷ୍ଟ କରିଛନ୍ତି ଯେ ଏଭଳି ଏକ ଜଟିଳ ସମୟରେ ସେ ଇସ୍ତଫା ଦେବାକୁ ଉଚିତ ମଣୁନାହାନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସବୁ ପ୍ରୟାସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ମଣିପୁରରେ ହିଂସା ଅଣାୟତ୍ତ ହେବାପରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ଇସ୍ତଫା ଦାବି ଜୋର୍‌ ଧରିଥିଲା।

ନିକଟରେ ହୋଇଥିବା ସର୍ବଦଳୀୟ ବୈଠକରେ ସମସ୍ତ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରଥିଲେ। ଗତ କିଛି ଦିନ ତଳେ ୯ ଜଣ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ। ଏନ୍‌ ବୀରେନ ସିଂହ ସରକାର ଉପରୁ ଲୋକମାନଙ୍କ ଭରସା ତୁଟି ଯାଇଛି ବୋଲି‌ କହିଥିଲେ। ଇତିମଧ୍ୟରେ ୨ ଦିନିଆ ମଣିପୁର ଗସ୍ତରେ ଥିବା ରାହୁଲ ଗାନ୍ଧି ଆଜି ୟୁନାଇଟେଡ ନାଗା କାଉନସିଲ (ୟୁଏନ୍‌ସି) ନେତା‌ ଏବଂ ସିଭିଲ୍‌ ସୋସାଇଟି ସଦସ୍ୟଙ୍କୁ ଭେଟିଥିଲେ। ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ସଂକ୍ରାନ୍ତରେ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ମୁଁ ଏଠାକୁ ରାଜନୈତିକ ପ୍ରସଙ୍ଗରେ ଟିପ୍ପଣୀ ଦେବାପାଇଁ ଆସିନାହିଁ। ଉକ୍ତ ପ୍ରସଙ୍ଗରେ ଏଠାରେ ମୁଁ କୌଣସି ଟିପ୍ପଣୀ ଦେବିନାହିଁ। ରାଜ୍ୟକୁ କିଭଳି ଶାନ୍ତି ଫେରିବ ତାହା ମୁଁ ଚାହେ ବୋଲି ରାହୁଲ କହିଥିଲେ।