ବିଜେପି ନେତା ତାଜିନ୍ଦର ବଗ୍ଗାଙ୍କ ଗିରଫକୁ ନେଇ ହାଇଡ୍ରାମା

ବଗ୍ଗାଙ୍କୁ ଦିଲ୍ଲୀରୁ ଗିରଫ କଲା ପଞ୍ଜାବ ପୁଲିସ
ବାଟରେ ହରିୟାଣା ପୁଲିସ ଅଟକାଇଲା
ଅପହରଣ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ବିଜେପି ନେତା ତାଜିନ୍ଦର ପାଲ୍‌ ସିଂହ ବଗ୍ଗାଙ୍କୁ ଶୁକ୍ରବାର ଦିନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ପଂଜାବ ପୁଲିସ ଗିରଫ କରିବା ଘଟଣାକୁ ନେଇ ହାଇଡ୍ରାମା ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍‌ ଆଦ୍‌ମି ପାର୍ଟି ବିରୋଧରେ ବଗ୍ଗା ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ପଂଜାବରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ପ୍ରାୟ ୫୦ ଜଣ ପଂଜାବ ପୁଲିସ ୧୦-୧୨ଟି ଗାଡ଼ିରେ ଆସି ବଗ୍ଗାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ। ଉକ୍ତ ଟିମ୍‌ ବଗ୍ଗାଙ୍କୁ ସଡ଼କପଥରେ ମୋହାଲି ନେଉଥିବା ବେଳେ ସେମାନଙ୍କୁ ହରିୟାଣା ପୁଲିସ କୁରୁକ୍ଷେତ୍ର ନିକଟରେ ଅଟକାଇଥିଲା। ହରିୟାଣା ପୁଲିସ ଅଧିକାରୀ କହିଥିଲେ ଯେ ବଗ୍ଗାଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନିଆଯାଇଥିବା ନେଇ ଦିଲ୍ଲୀ ପୁଲିସ ରିପୋର୍ଟ କରିଛି। ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ସେମାନଙ୍କୁ ଅଟକାଯାଇଛି। ଦିଲ୍ଲୀରୁ ବଗ୍ଗାଙ୍କୁ ଆଣିଥିବା ପଂଜାବ ପୁଲିସର ଗାଡ଼ିଗୁଡ଼ିକୁ କୁରୁକ୍ଷେତ୍ରର ପିପଲି ଥାନା ନିଆଯାଇଥିଲା। ଏହାର କିଛି ସମୟ ପରେ ସେଠାରେ ଦିଲ୍ଲୀ ପୁଲିସ ପହଞ୍ଚିବାରୁ ହରିୟାଣା ପୁଲିସ ବଗ୍ଗାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା। ଦିଲ୍ଲୀ ଅଣାଯିବା ପୂର୍ବରୁ ବଗ୍ଗାଙ୍କୁ ଏକ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି।

ତେବେ ତାଜିନ୍ଦର ବଗ୍ଗାଙ୍କୁ ଶୁକ୍ରବାର ଦିନ ଯେଉଁଭଳି ଢଙ୍ଗରେ ଗିରଫ କରାଯାଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଦିଲ୍ଲୀ ପୁଲିସ ବଗ୍ଗାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ଅପହରଣ ମାମଲା ରୁଜୁ କରିଛି। ବଗ୍ଗାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ କିଛି ଲୋକ ଶୁକ୍ରବାର ସକାଳ ୮ଟାରେ ତାଙ୍କ ଜନକପୁରୀ ସ୍ଥିତ ବାସଭବନରେ ଧସେଇ ପଶି ତାଙ୍କ ପୁଅକୁ ଉଠାଇ ନେଇଥିଲେ। ବଗ୍ଗାଙ୍କ ବାପା କହିଛନ୍ତି, ସେ ଏହି ଘଟଣାର ବିରୋଧ କରିବାରୁ ପୁଲିସ ତାଙ୍କ ମୁହଁରେ ଆଘାତ କରିଥିଲା। ପଂଜାବ ପୁଲିସ ପରିବାର ଲୋକଙ୍କ ଫୋନ୍‌ ଛଡ଼ାଇ ନେବା ସହ ବଗ୍ଗାଙ୍କୁ ପଗଡ଼ି ପିନ୍ଧିବାକୁ ମଧ୍ୟ ସୁଯୋଗ ଦେଇନଥିଲା। ଏହି ଘଟଣାର ପ୍ରତିବାଦ କରି ବିଜେପି କର୍ମୀମାନେ ଦିଲ୍ଲୀ ସ୍ଥିତ ଆପ୍‌ ଅଫିସ ବାହାରେ ଆନ୍ଦୋଳନ କରିଛନ୍ତି। କେଜ୍ରିୱାଲ୍‌ ପଂଜାବ ପୁଲିସର ଦୁରୁପଯୋଗ କରୁଛନ୍ତି ଏବଂ ଏହାର ଜୋରଦାର ବିରୋଧ କରାଯିବ ବୋଲି ଦିଲ୍ଲୀ ବିଜେପି କହିଛି। କେଜ୍ରିୱାଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପଂଜାବ ପୁଲିସକୁ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କହିଛନ୍ତି।

ସମ୍ବନ୍ଧିତ ଖବର