କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟବହାର ହେବ

ଭାରତର ପ୍ରସ୍ତାବ ମାନିଲା ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ : କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ବ୍ୟବହାର ନିମନ୍ତେ ଅଧିକ ପରୀକ୍ଷା ପାଇଁ ଭାରତର ପ୍ରସ୍ତାବକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗ୍ରହଣ କରିଛି। କରୋନା ସଂକ୍ରମଣ କମାଇବା ପାଇଁ ଡାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ବ୍ୟବହାର କରାଯିବା ସଂପର୍କରେ ଭାରତର ଦୃଢ଼ ଯୁକ୍ତି ଉପସ୍ଥାପନ ପରେ ଡବ୍ଲୁଏଚ୍‌ଓ ଏହାର ପୂର୍ବ ଆଭିମୁଖ୍ୟ ବଦଳାଇଛି। ପୂର୍ବରୁ ଡବ୍ଲୁଏଚ୍‌ଓ କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌କୁ ବିପଜ୍ଜନକ ବୋଲି ଦର୍ଶାଇଥିଲା ଏବଂ ଏହାର ପ୍ରୟୋଗ ନ କରିବା ପାଇଁ କହିଥିଲା। ଆବଶ୍ୟକ ପରୀକ୍ଷଣ ପ୍ରୋଟକଲ ଆଧାରରେ ଭାରତ ଦେଇଥିବା ପ୍ରସ୍ତାବ ପଛରେ ଯଥେଷ୍ଟ ପ୍ରାମାଣିକ ତଥ୍ୟ ଥିବାରୁ ଡବ୍ଲୁଏଚ୍‌ଓ ଏବେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ପ୍ରୟୋଗ ପୁଣି ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ କରିଛି। କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ସୁଫଳ କିଭଳି ମିଳିପାରିବ ସେଥିପାଇଁ ଅଧିକ ପରୀକ୍ଷା କରାଯିବ ଏବଂ ଖୁବ୍‌ଶୀଘ୍ର ଏ ବାବଦରେ ପରିଣାମ ଆସିବ ବୋଲି ଜଣାପଡ଼ିଛି।

ଭାରତରେ ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମଣକୁ ରୋକିବା ପାଇଁ ଏହାକୁ ବ୍ୟବହାର କରି ଯେଉଁ ସଫଳତା ପାଇଛନ୍ତି ସେ ସଂପର୍କରେ ମଧ୍ୟ ଡବ୍ଲୁଏଚ୍‌ଓ ଭଲଭାବେ ଅବଗତ ହୋଇଛି। ଏବେ ଆମେରିକା ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଦ୍ବାରା ଅନେକ ରୋଗୀଙ୍କ ସଫଳ ଚିକିତ୍ସା କରିବାରେ ସକ୍ଷମ ହୋଇଛି। ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ସଫଳ ପ୍ରୟୋଗ ଭିନ୍ନ ଭିନ୍ନ ବୟସର ରୋଗୀଙ୍କ କ୍ଷେତ୍ରରେ ସଠିକ୍‌ ଅନୁପାତରେ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର