ହାଇଡ୍ରୋକ୍ସି କ୍ଲୋରକ୍ବିନ୍‌ର କ୍ଲିନିକାଲ୍‌ ପରୀକ୍ଷା ବନ୍ଦ କଲା ‘ହୁ’

ନୂଆଦିଲ୍ଲୀ: କ‌ରୋନା ଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ରରେ ଏବେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌କୁ ଏକ ପ୍ରତିଷେଧକ ଭାବେ ବ୍ୟବହାର କରାଯାଉଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥା ‘ହୁ’ ଅସ୍ଥାୟୀ ଭାବେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ର କ୍ଲିନିକାଲ୍‌ ପରୀକ୍ଷା ବନ୍ଦ କରିଦେଇଛନ୍ତି। ଗତ ସପ୍ତାହରେ ଲାନ୍‌ସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦର୍ଶାଯାଇଥିଲା ‌ଯେ, କରୋନା ରୋଗୀଙ୍କ କ୍ଷେତ୍ରରେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ର ବ୍ୟବହାର ଦ୍ବାରା ଏହା ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ଅଧିକ ବଢ଼ାଇ ଦେଉଛି। ଏଭଳି ଏକ ଅଧ୍ୟୟନ ବିବରଣୀ ପ୍ରକାଶ ପାଇବା ପରେ ‘ହୁ’ ଅସ୍ଥାୟୀ ଭାବେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ହୁ ମୁଖ୍ୟ ଟେଡ୍ରସ୍‌ ଆଧାନମ୍‌ କହିଛନ୍ତି। ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ସାଧାରଣତଃ ଆର୍ଥ୍ରାଇଟିସ୍‌ ଚିକିତ୍ସା ପାଇଁ ବ୍ୟବହାର କରାଯାଏ। କିନ୍ତୁ ଏବେ କ‌ରୋନା ମୁକାବିଲା ପାଇଁ ଏହାର ବ୍ୟାପକ ଭାବେ ବ୍ୟବହାର କରାଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ, ସେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ନେଉଛନ୍ତି। ଆମେରିକା ସରକାର ଅଧିକ ପରିମାଣରେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ କିଣୁଛନ୍ତି। ବ୍ରାଜିଲ୍‌ର ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ସପ୍ତାହରେ ସୁପାରିସ କରିଥିଲେ ଯେ, ଅତି ସାଧାରଣ କୋଭିଡ୍‌ ସଂକ୍ରମଣ ମାମଲା ଚିକିତ୍ସା ପାଇଁ ମଧ୍ୟ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଏବଂ ମ୍ୟାଲେରିଆ ବିରୋଧୀ କ୍ଲୋରକ୍ବିନ୍‌ ବ୍ୟବହାର କରିବାରେ କିଛି ସମସ୍ୟା ନାହିଁ। ତେବେ ଏହି ୨ଟି ଯାକ ଔଷଧ ଅତି ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଏବଂ ବିଶେଷ କରି ହୃଦ୍‌ ସମସ୍ୟା ସୃଷ୍ଟି କରିପାରେ ବୋଲି ଲାନ୍‌ସେଟ୍‌ ଅଧ୍ୟୟନରେ କୁହାଯାଇଥିଲା। କୋଭିଡ୍‌ -୧୯ ରୋଗୀଙ୍କ ପାଇଁ ଉକ୍ତ ୨ଟି ଔଷଧ ମଧ୍ୟରୁ କୌଣସିଟି ମଧ୍ୟ ଉପକାରୀ ‌ହେବନି ବୋଲି ଲାନ୍‌ସେଟ୍‌ ଅଧ୍ୟୟନରେ କୁହାଯାଇଛି। ପ୍ରାୟ ୯୬ ହଜାର ରୋଗୀଙ୍କ ରେକର୍ଡ‌୍‌କୁ ଭଲଭାବେ ଆକଳନ କରିବାପରେ ଏହା କୁହାଯାଇଛି। ଟେଡ୍ରସ୍‌ କହିଛନ୍ତି, ଉପରୋକ୍ତ ୨ଟି ଯାକ ଔଷଧ ମ୍ୟାଲେରିଆ ଚିକିତ୍ସା ପାଇଁ ଗ୍ରହଣୀୟ ଏବଂ ସୁରକ୍ଷିତ।

ସମ୍ବନ୍ଧିତ ଖବର