ନୂଆଦିଲ୍ଲୀ : କରୋନାର ମଞ୍ଜୁରିପ୍ରାପ୍ତ ଚିକିତ୍ସା ମାଗଦର୍ଶିକାରୁ ଆଇଭରମେକ୍ଟିନ ଓ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧକୁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ବାଦ୍ ଦେଇଛି। ଆଜିଥ୍ରୋମାଇସିନ୍ ସହିତ ହାଇ‌ଡ୍ରୋକ୍ସିକ୍ଲୋରୋକ୍ବିନ୍‌କୁ ରୋଗୀକୁ ଦିଆଯିବା ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟାଜନିତ ବିପଦ ବୃଦ୍ଧି ପାଉଛି। ଏଥିସହିତ ମୃତ୍ୟୁ ହାର କମାଇବା ଉପରେ ମଧ୍ୟ ଏହାର ସେତେଟା ଲାଭ ମିଳୁନାହିଁ। ସେହିଭଳି ଆଇଭରମେକ୍ଟିନ ବ୍ୟବହାର ଦ୍ବାରା କରୋନା ରୋଗୀଙ୍କ ମୃତ୍ୟୁ ହାର ଏବଂ ରୋଗୀ ସୁସ୍ଥ ହେବାରେ ଉନ୍ନତି ଆସିବାର ସ୍ପଷ୍ଟ ଚିତ୍ର ମିଳିନାହିଁ। କୌଣସି ସଫଳତା ମିଳିଥିବା ରିପୋର୍ଟ ଆସିନଥିବାରୁ ଏହି ଦୁଇ ଔଷଧକୁ ସାବାଳକ କରୋନା ରୋଗୀଙ୍କ ଚକିତ୍ସାରେ ବ୍ୟବହାରକୁ ଆଇସିଏମ୍‌ଆର୍‌ ବାଦ୍ ଦେଇଛି।

Advertisment

ଉଲ୍ଲେଖଯୋଗ୍ୟ ଗତ ମେ ମାସରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚଏସ) ପକ୍ଷରୁ କରୋନା ଚିକିତ୍ସା ପ୍ରୋଟୋକଲ୍‌ରୁ ଏହି ଦୁଇ ଔଷଧ ସମେତ ଅନ୍ୟ କେତେକ ଔଷଧର ପ୍ରୟୋଗକୁ ବନ୍ଦ କରିବା ଲାଗି ଏକ ବିସ୍ତୃତ ମାଗଦର୍ଶିକା ପ୍ରକାଶ ପାଇଥିଲା। ତେବେ ଏହି ମାର୍ଗଦର୍ଶିକାକୁ ସେହି ସମୟରେ ଆଇସିଏମ୍‌ଆର୍‌ ସ୍ବୀକୃତି ଦେଇ ନଥିଲା। ଏଥିଯୋଗୁ ଉକ୍ତ ଔଷଧର ବ୍ୟବହାରକୁ ନେଇ ଡିଜିଏଚଏସ୍ ଏବଂ ଆଇସିଏମ୍‌ଆର୍‌ର ବିଶେଷଜ୍ଞଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥିଲା। କିନ୍ତୁ ଡିଜିଏଚଏସର ମାର୍ଗଦର୍ଶିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପ୍ରଶଂସା କରିଥିଲା। ଡିଜିଏଚଏସର ଉକ୍ତ ସ୍ପଷ୍ଟ ମାର୍ଗଦର୍ଶିକାକୁ ସବୁ ଭାରତୀୟ ଭାଷାରେ ଅନୁବାଦ କରି ପ୍ରସାର କରାଯିବା ଆବଶ୍ୟକ। ନୂଆ ପ୍ରମାଣ ମିଳିଲେ ମାର୍ଗଦର୍ଶିକାରେ ଉନ୍ନତି ଆସିବା ଆବଶ୍ୟକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ସେ ସମୟରେ ଟ୍ବିଟ୍ କରି କହିଥିଲେ। ସେହି ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଇଭରମେକ୍ଟିନର ବ୍ୟବହାରକୁ ନେଇ ମଧ୍ୟ ସତର୍କ କରାଇ ଦେଇଥିଲା। ସନ୍‌ ଫାର୍ମାସ୍ୟୁଟିକାଲ୍ସ, ସିପ୍‌ଲା ଏବଂ ଜୁଭେଣ୍ଟସ ଆଦି କମ୍ପାନି ଦ୍ବାରା ଆଇଭରମେକ୍ଟିନ ଔ‌ଷଧ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି କରାଯାଉଛି।