ଆଧୁନିକ ବିଶ୍ବରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରାଷ୍ଟ୍ର ସୁରକ୍ଷା ଓ ସାମରିକ ପ୍ରଭାବ ବୃଦ୍ଧି ପାଇଁ ପ୍ରତିଯୋଗିତା ଚାଲିଛି । ନୂଆ ନୂଆ ଟେକନଲୋଜୀ ମାଧ୍ୟମରେ ଯୁଦ୍ଧାସ୍ତ୍ର ତିଆରି କରିବାକୁ ସବୁ ଦେଶ ଲାଗିଛନ୍ତି । ଏକ୍ଷେତ୍ରରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ହାଇପରସୋନିକ କ୍ଷେପଣାସ୍ତ୍ର ।
ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦର ଗତିରୁ ପାଞ୍ଚ ଗୁଣା ଅଧିକ ବେଗରେ ଗତି କରେ (ମାକ୍ ୫ ଓ ତାହାଠାରୁ ଅଧିକ)। ଏହି ପ୍ରକାର କ୍ଷେପଣାସ୍ତ୍ରମାନେ ଶତୃ ରାଷ୍ଟ୍ରର ରାଡାର ସିଷ୍ଟମକୁ ମାତ ଦେଇପାରେ । ଏହି ଅସ୍ତ୍ର ବିକାଶରେ ଏବେ ଆଗରେ ଅଛନ୍ତି ରୁଷିଆ ଓ ଚୀନ୍ । ରୁଷିଆର କେତେକ ଘାତକ ହାଇପରସୋନିକ କ୍ଷେପଣାସ୍ତ୍ର ହେଉଛି ଜିରକନ, ଓରେସନିକ ଓ କିଞ୍ଜାଲ । ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏ ଦିଗରେ ଅଗ୍ରଗତି ହାସଲ କରିଛି । ଏମାନଙ୍କ ପଛକୁ ଅଛନ୍ତି ଭାରତ, ଫ୍ରାନ୍ସ, ବ୍ରିଟେନ ଓ ଜାପାନ । ଭାରତର ପ୍ରତିରକ୍ଷା ଗବେଷଣା ସଂଗଠନ ଡିଆରଡିଓ "ହାଇପରସୋନିକ ଟେକ୍ନୋଲୋଜି ଡେମୋନସ୍ଟ୍ରେସନ୍ ୱିହିକଲର ସଫଳ ପରୀକ୍ଷା କରିଛି। ଏହା ପରେ ଭାରତ ହାଇପରସୋନିକ କ୍ଷେପଣାସ୍ତ୍ର ଟେକନଲଜୀ ପ୍ରାପ୍ତ କରିସାରିଥିବା କୁହାଯାଉଛି ।
ହାଇପରସୋନିକ କ୍ଷେପଣାସ୍ତ୍ର କ’ଣ?
‘ହାଇପରସୋନିକ’ ଶବ୍ଦର ଅର୍ଥ ହେଉଛି — ଶବ୍ଦ ଗତିରୁ ଅଧିକତମ ପାଞ୍ଚ ଗୁଣା ବେଗରେ ଗତି କରିପାରୁଥିବା ବସ୍ତୁ। ଏହି ପ୍ରକାର ମିସାଇଲ୍ଗୁଡ଼ିକର ଗତି ହୁଏ ମାକ୍ ୫ ରୁ ମାକ୍ ୧୦ (ଅର୍ଥାତ୍ ୬,୧୦୦ ରୁ ୧୨,୨୦୦ କିମି/ଘଣ୍ଟା) ପର୍ଯ୍ୟନ୍ତ।
ହାଇପରସୋନିକ କ୍ଷେପଣାସ୍ତ୍ର ଦୁଇ ପ୍ରକାର :
ହାଇପରସୋନିକ ଗ୍ଲାଇଡ୍ ଭିହିକଲ୍ (ଏଚଜିଭି) – ଯାହା ଏକ ରକେଟ୍ର ମାଧ୍ୟମରେ ମହାକାଶରେ ଯାଇ ପରେ ଲକ୍ଷ୍ୟ ଦିଗରେ ଗ୍ଲାଇଡ୍ କରେ।
ହାଇପରସୋନିକ କ୍ରୁଜ୍ ମିସାଇଲ୍ (ଏଚସିଏମ) – ଯାହା ସ୍ୱୟଂ ଇଞ୍ଜିନ୍ର ସାହାଯ୍ୟରେ ଏହି ଉଚ୍ଚ ବେଗ ରଖିପାରେ ।
ଏହି ପ୍ରତିଯୋଗିତା କେବଳ ସାମରିକ ପ୍ରଭାବ ପାଇଁ ନୁହେଁ, ବରଂ ଭୂ-ରାଜନୀତିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରୁଛି। ଯେଉଁ ଦେଶ ଏହି ଟେକ୍ନୋଲୋଜିରେ ଆଗରେ ଥିବ, ସେ ଦେଶ ନିଜ ସୁରକ୍ଷା ସହ ଅନ୍ୟ ଦେଶମାନଙ୍କ ଉପରେ ମନୋବିଜ୍ଞାନିକ ପ୍ରଭାବ ପକାଇପାରିବ । ତେବେ ଚିନ୍ତାର ବିଷୟ ହେଉଛି ଯେ ଦେଶମାନେ ଯେଉଁଗତିରେ ହାଇଟେକ୍ ଯୁଦ୍ଧାସ୍ତ୍ରର ବିକାଶ କରୁଛନ୍ତି ତାହା ମାନବ ଜାତି ପାଇଁ ବିପଦକୁ ଟାଣିଆଣୁଛି ।