ମୁଁ ଜଣେ ଖ୍ରୀଷ୍ଟିଆନ, ତ୍ରିରଙ୍ଗାକୁ ସାଲ୍ୟୁଟ କରିପାରିବି ନାହିଁ: ଏଭଳି କହି ପତାକା ଉତ୍ତୋଳନ କଲେନି ପ୍ରଧାନଶିକ୍ଷକ

ଚେନ୍ନାଇ: ଜାତୀୟ ପତାକା ଉତ୍ତୋଳନ ନକରିବା ସହ ପତାକାକୁ ସଲ୍ୟୁଟ କରିବାକୁ ମନା କଲେ ପ୍ରଧାନଶିକ୍ଷକ। ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ଥିବା ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱାଧୀନତା ଦିବସ ପାଳନ ଅବସରରେ ଏଭଳି କରିିଥିବା ଜଣାପଡ଼ିଛି। ସେ ଜଣେ ଖ୍ରୀଷ୍ଟିଆନ ଏବଂ ତାଙ୍କର ଧାର୍ମିକ ବିଶ୍ୱାସ ତାଙ୍କୁ ଜାତୀୟ ପତାକାକୁ ସଲ୍ୟୁଟ କରିବାକୁ ଅନୁମତି ଦିଏନାହିଁ ବୋଲି କହିଥିଲେ ପ୍ରଧାନଶିକ୍ଷକ। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟ ଶିକ୍ଷା ଅଧିକାରୀ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଧର୍ମପୁରୀ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ତମିଲସେଲବି ଚଳିତ ବର୍ଷ ଅବସର ନେଉଛନ୍ତି। ତାଙ୍କୁ ସମ୍ମାନିତ କରିବା ପାଇଁ ଅଗଷ୍ଟ ୧୫ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ପ୍ରଧାନଶିକ୍ଷକ ଜାତୀୟ ପତାକା ଉତ୍ତୋଳନ ନକରିବା ସହ ପତାକାକୁ ସଲ୍ୟୁଟ କରିବାକୁ ମନା କରିଦେଇଥିଲେ। ପ୍ରଧାନଶିକ୍ଷକ ମନା କରିବାରୁ ସହକାରୀ ପ୍ରଧାନଶିକ୍ଷକଙ୍କ ଦ୍ବ‌ାରା ପତାକା ଉତ୍ତୋଳନ କରାଯାଇଥିଲା। ଏହା ପ୍ରଥମ ନୁହେଁ ଅତୀତରେ ମଧ୍ୟ ତମିଲସେଲବି ଜାତୀୟ ପତାକା ଉତ୍ତୋଳନ କରିବା ଏବଂ ତ୍ରିରଙ୍ଗାକୁ ସଲ୍ୟୁଟ କରିବାକୁ ମନା କରିଛନ୍ତି।

ସେ କହିଛନ୍ତି ଯେ, ମୁଁ କେବଳ ଭଗବାନଙ୍କୁ ପ୍ରଣାମ କରେ, ଅନ୍ୟ କାହାକୁ ନୁହେଁ। ମୁଁ ଜାତୀୟ ପତାକାକୁ ସମ୍ମାନ ଦିଏ କିନ୍ତୁ ମୁଁ କେବଳ ଭଗବାନଙ୍କୁ ହିଁ ପ୍ରଣାମ କରେ। ତେଣୁ ମୁଁ ସହକାରୀ ପ୍ରଧାନ ଶିକ୍ଷକଙ୍କୁ ପତାକା ଉତ୍ତୋଳନ କରିବାକୁ କହିଥିଲି। ଏବେ ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର