ମୁଁ ସାଂସଦ ନୁହେଁ, ଜଣେ ସାଧାରଣ ଲୋକ, ତେଣୁ ଧାଡ଼ିରେ ଠିଆ ହୋଇଛି: ରାହୁଲ୍ ଗାନ୍ଧୀ
ସାନ୍ ଫ୍ରାନ୍ସିସ୍କୋ: ମୁଁ ଆଉ ସାଂସଦ ହୋଇ ନାହିଁ, ଜଣେ ସାଧାରଣ ବ୍ୟକ୍ତି। ତେଣୁ, ‘ଇମିଗ୍ରେସନ୍ କ୍ଲିଅରାନ୍ସ୍’ ପାଇଁ ବିମାନ ବନ୍ଦରରେ ଧାଡ଼ିରେ ଠିଆ ହୋଇଛି ବୋଲି ଆମେରିକାର ସାନ୍ଫ୍ରାନ୍ସିସ୍କୋରେ ଲୋକମାନଙ୍କୁ ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
ସୂଚନାଯୋଗ୍ୟ, ଆମେରିକାର ୩ଟି ସହର ଗସ୍ତରେ ଯାଇ ମଙ୍ଗଳବାର ଦିନ ପହଞ୍ଚିଥିବା ରାହୁଲ୍ ଗାନ୍ଧୀଙ୍କୁ ସାନ୍ଫ୍ରାନ୍ସିସ୍କୋ ବିମାନ ବନ୍ଦରରେ ‘ଭାରତୀୟ ଦରିଆପାରି କଂଗ୍ରେସ’ ଅଧ୍ୟକ୍ଷ ସାମ୍ ପିଟ୍ରୋଡ଼ା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସ୍ବାଗତ କରିଥିଲେ। ‘ଇମିଗ୍ରେସନ୍ କ୍ଲିଅରାନ୍ସ୍’ ପାଇଁ ରାହୁଲ୍ ଗାନ୍ଧୀଙ୍କୁ ବିମାନ ବନ୍ଦରରେ ୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି କଂଗ୍ରେସ କହିଛି।

ରାହୁଲ୍ ଧାଡ଼ିରେ ଠିଆ ହୋଇଥିବା ବେଳେ ତାଙ୍କ ସହିତ ଠିଆ ହୋଇଥିବା କେତେକ ଲୋକେ ‘ସେଲ୍ଫି’ ଉଠାଇଥିଲେ।
ରାହୁଲ୍ଙ୍କର ଦୁଇଟି ଫଟୋ ସେୟାର୍ କରି ଜଣେ କଂଗ୍ରେସ ନେତା ଟୁଇଟ୍ କରିଛନ୍ତି, ୧୬ ଘଣ୍ଟାର ବିମାନ ଯାତ୍ରା ପରେ ସାନ୍ଫ୍ରାନ୍ସିସ୍ ବିମାନ ବନ୍ଦରରେ ଆଉ ୨ ଘଣ୍ଟା ଅପେକ୍ଷା କରିଥିବା ରାହୁଲ୍ ଗାନ୍ଧୀଙ୍କ ସହିତ ସେଲ୍ଫି ଉଠାଇବା ପାଇଁ ଲୋକେ ବିଶେଷ ଅନୁରୋଧ କରିଥିଲେ।
ସପ୍ତାହେବ୍ୟାପୀ ଆମେରିକା ଗସ୍ତରେ ଥିବା ରାହୁଲ୍ ଗାନ୍ଧୀ ଭାରତୀୟ-ଆମେରିକୀୟଙ୍କୁ ଉଦ୍ବୋଧନ ଦେବା ସହିତ ‘ୱାଲ୍ ଷ୍ଟ୍ରିଟ୍ ଏକ୍ଜିକ୍ୟୁଟିଭ୍’ ଏବଂ ବିଶ୍ବବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ସହିତ ଆଳାପ କରିବେ।