ରାହୁଲ କହିଲେ ‘ମୁଁ କାଶ୍ମୀର ପଣ୍ଡିତ’, ବିଜେପି କହିଲା ଅପରିପକ୍ବତା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ୨ ଦିନିଆ ଜମ୍ମୁ ଗସ୍ତ‌ରେ ଅଛନ୍ତି। ମାତା ବୈ‌ଷ୍ଣୋଦେବୀଙ୍କୁ ଦର୍ଶନ କରିବା ପରେ ରାହୁଲ ନିଜକୁ ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି। ରାହୁଲ ଶୁକ୍ରବାର ଜମ୍ମୁ‌ରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି, ମୋ‌ତେ ଲାଗୁଛି ମୁଁ ଘରକୁ ଆସିଛି। ମୋ ପରିବାରର ଜମ୍ମୁ କାଶ୍ମୀର ସହ ଅତି ନିବିଡ଼ ସମ୍ପର୍କ ରହିଛି। ରାହୁଲ କହିଛନ୍ତି, ‘ ମୁଁ ଜଣେ କାଶ୍ମୀର ପଣ୍ଡିତ ଏବଂ ମୋ ପରିବାର ମଧ୍ୟ କାଶ୍ମୀର ପଣ୍ଡିତ। ଆଜି ସକାଳେ କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧିଦଳ ମୋତେ ଭେଟିଥିଲେ। ସେମାନେ କହିଛନ୍ତି, କଂଗ୍ରେସ ଜମ୍ମୁ କାଶ୍ମୀରରେ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛି କିନ୍ତୁ ବିଜେପି କିଛି କରିପାରିନି।

ବିଜେପି ରାହୁଲଙ୍କର ଏହି ମନ୍ତବ୍ୟ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପି ଆଜି ଏକ ବିବୃତି ଜାରି କରି କହିଛି, ରାହୁଲ ଗାନ୍ଧି ଭୁଲିଗଲେ ଯେ କଂଗ୍ରେସ ଏବଂ ଅନ୍ୟ ଦଳର ତୁଷ୍ଟୀକରଣ ରାଜନୀତି ପାଇଁ କାଶ୍ମୀର ପଣ୍ଡିତମାନେ ଦୁର୍ଦ୍ଦଶା ଭୋଗିଛନ୍ତି। କଂଗ୍ରେସ ଏହାର ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି ପାଇଁ କେବଳ କାଶ୍ମୀର ପଣ୍ଡିତଙ୍କୁ ତ୍ୟାଗ କରିନି ବରଂ କାଶ୍ମୀରର ବିକାଶକୁ ମଧ୍ୟ ପଛ କରିଦେଇଛି। ଜମ୍ମୁ କାଶ୍ମୀରରେ ଯେଉଁ ସମସ୍ୟା ହୋଇଛି ତାହା ଗାନ୍ଧି ପରିବାର ପାଇଁ। ଜବାହରଲାଲ୍‌ ନେହରୁ କାଶ୍ମୀର ସମସ୍ୟା‌ ପାଇଁ ଦାୟୀ ଥିଲେ। ଏବେ ରାହୁଲ ଯାହା କହିଛନ୍ତି, ତାହା ପୁଣି ତାଙ୍କ ଅପରିପକ୍ବତାକୁ ପଦାରେ ପକାଇ ଦେଇଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର