ମୁଁ ତାଇୱାନ ନାଗରିକ: ଚାଙ୍ଗ୍‌

ଆଦାନି ଘଟଣାରେ ତାଙ୍କ ନାମ ସାମ୍ନାକୁ ଆସିଥିଲା

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ସହ ସମ୍ପର୍କ ଥିବା ପିଏମ୍‌ସି ପ୍ରୋଜେକ୍ଟସ୍‌ ଇଣ୍ଡିଆର ନିର୍ଦେଶକ ମୋରିସ୍ ଚାଙ୍ଗ୍‌ କହିଛନ୍ତି ଯେ ମୁଁ ହେଉଛି ତାଇୱାନର ନାଗରିକ। ମୋ ପାସ୍‌‌ପୋର୍ଟକୁ ଦେଖି ମୋତେ ଚୀନ୍‌ର ଲୋକ ବୋଲି କୁହାଯାଉଛି। ତାଇୱାନର ଅଫିସିଆଲ ନାମ ହେଉଛି ରିପବ୍ଲିକ୍ ଅଫ୍‌ ଚାଇନା। ମୋ ପାସ୍‌ପୋର୍ଟରେ ତାହା ଲେଖାଯାଇଛି। ଏହା ଚୀନ୍‌ଠାରୁ ଭିନ୍ନ। ଚୀନ୍‌ର ପ୍ରକୃତ ନାମ ପିପୁଲ୍‌ସ ରିପବ୍ଲିକ୍ ଅଫ୍‌ ଚାଇନା ବୋଲି ସେ କହିଛନ୍ତି।

ଚୀନ୍‌ର ସଂସ୍ଥା ସହ ଆଦାନିଙ୍କ ସମ୍ପର୍କ ଥିବା ଅଭିଯୋଗ କରି ବିରୋଧୀ ଦଳ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିବାକୁ ପ୍ରୟାସ କରୁଛି। ଏହି ଘଟଣାରେ କିଭଳି ସୁରକ୍ଷାକୁ ଅଣଦେଖା କରାଯାଇ ଆଦାନି ସହ ମିଶିଥିବା ଏକ ଚୀନ୍‌ ସଂସ୍ଥାକୁ ବନ୍ଦର ପରିଚାଳନା କରିବା ଦାୟିତ୍ବ ଦିଆଯାଇଛି ବୋଲି କଂ‌ଗ୍ରେସ ପ୍ରଶ୍ନ କରିଥିଲା। ଆଦାନି ଗ୍ରୁପ୍ ସହ ଥିବା ବ୍ୟବସାୟ ସମ୍ପର୍କ ବିଷୟରେ ଚାଙ୍ଗ୍‌ କିଛି କହିବାକୁ ମନା କରିଛନ୍ତି।

ସେ କହିଛନ୍ତି ଯେ ମୁଁ ତାଇୱାନର ଜଣେ ପ୍ରତି‌ଷ୍ଠିତ ବ୍ୟବସାୟୀ। ମୋର ବିଶ୍ବର ବିଭିନ୍ନ ସ୍ଥାନରେ ବ୍ୟବସାୟ ରହିଛି। ଆଦାନି ଘଟଣା ବିଚାରାଧୀନ ରହିଥିବାରୁ ସେ ସମ୍ପର୍କରେ କିଛି କହିବାକୁ ଚାଙ୍ଗ୍‌ ମନା କରିଛନ୍ତି। ତେବେ ତାଙ୍କ ନାଗରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ଓ ତାହା ଏକ ରାଜନୈତିକ ବିଷୟରେ ହେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଚାଙ୍ଗ୍‌ କହିଛନ୍ତି।

ସମ୍ବନ୍ଧିତ ଖବର