ମୁଁ କୌଣସି ରୋଗରେ ପୀଡିତ ନାହିଁ, ସମ୍ପୂର୍ଣ୍ଣ ସୁସ୍ଥ ଅଛି : ଅମିତ ଶାହା

ନୂଆଦିଲ୍ଲୀ: ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ହେଉଥିବା ଗୁଜବ ଦୂର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଟ୍ୱିଟରର ସହାୟତା ନେଇଛନ୍ତି । ଗୃହମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି ଯେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଭିତ୍ତିହୀନ ଗୁଜବ ପ୍ରଚାର କରିବା ପାଇଁ ଟୁଇଟର ବ୍ୟବହାର କରୁଛନ୍ତି ଏବଂ କେହି କେହି ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି।

ଏହି ବିବୃତିରେ ସେ କହିଛନ୍ତି, ମୁଁ ଭାବିଲି ମୁଁ ଲୋକମାନଙ୍କୁ ସେମାନଙ୍କର କଳ୍ପନାକୁ ଉପଭୋଗ କରିବାକୁ ଦେବି, ସେଥିପାଇଁ ମୁଁ ପୂର୍ବରୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲି। ତଥାପି, ମୋର ଦଳୀୟ କର୍ମୀ ଏବଂ ଲକ୍ଷ ଲକ୍ଷ ଶୁଭେଛୁ ଗତ ଦୁଇ ଦିନ ଧରି ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଚିନ୍ତାକୁ ଦେଖି ମୁଁ ଆଜି ସ୍ପଷ୍ଟ ଭାବରେ ଜଣାଇବାକୁ ଚାହୁଁଛି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କୌଣସି ରୋଗରେ ପୀଡିତ ନୁହେଁ।”

ସେ  ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏଭଳି ଗୁଜବ ଜଣଙ୍କ ସ୍ୱାସ୍ଥ୍ୟକୁ ଆହୁରି ମଜବୁତ କରିଥାଏ। ଏହି କାରଣରୁ, ମୁଁ ଆଶା କରୁଛି ଯେ ଏହି କାର୍ଯ୍ୟ (ଗୁଜବ) ରେ ଲିପ୍ତ ଥିବା ଲୋକମାନେ ଏହି ନିର୍ବୋଧତାକୁ ଛାଡି ଦିଅନ୍ତୁ ଏବଂ ମୋତେ ନିଜର କାମ କରିବାକୁ ଦିଅନ୍ତୁ। ତାଙ୍କର ଏଭଳି ଟ୍ୱିଟର କିଛି ଘଣ୍ଟା ପରେ ଗୁଜୁରାଟ ପୁଲିସ ଗୃହମନ୍ତ୍ରୀଙ୍କ ବିଷୟରେ ଗୁଜବ ପ୍ରଚାର କରିଥିବା ଭବନଗର ଏବଂ ଅହମ୍ମଦାବାଦରୁ ଦୁଇଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର