ଗେହଲଟ୍‌ଙ୍କ କଥା ବହୁତ କଷ୍ଟ ଦେଇଛି: ପାଇଲଟ୍‌

‘ମୁଁ କଂଗ୍ରେସ ସହ ସର୍ବଦା ରହିଛି’

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ୍‌ ଆଜି କହିଛନ୍ତି- ମୁଁ କଂଗ୍ରେସ କଦାପି ଛାଡ଼ିନଥିଲି। ଆମ ଅଭିଯୋଗ ଏବଂ ଆମ କଥା ଶୁଣିଥିବାରୁ ସୋନିଆଜୀ , ରାହୁଲଜୀ ଏବଂ ପ୍ରିୟଙ୍କାଜୀଙ୍କୁ ଧନ୍ୟବାଦ ଜଣାଉଛି। ରାଜସ୍ଥାନର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବଂ ଏକ ଉତ୍ତମ ଭାରତ ପାଇଁ କାର୍ଯ୍ୟ ଜାରି ରଖିବି। ପାଇଲଟ୍‌ଙ୍କର ଏହି ଘୋଷଣା ସହ ରାଜସ୍ଥାନ ରାଜନୈତିକ ସଙ୍କଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ସେ କରିଥିବା ବିଦ୍ରୋହର ପରିସମାପ୍ତି ଘଟିଛି। ଗେହଲଟଙ୍କ ସମାଲୋଚନା ସଂପର୍କରେ ପାଇଲଟ୍‌ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କର ଭାଷା ମତେ ଖୁବ୍‌ କଷ୍ଟ ଦେଇଛି। ସାର୍ବଜନୀନ ବ୍ୟବହାରରେ ଲକ୍ଷ୍ମଣ ରେଖା ରହିବା ଉଚିତ ବୋଲି ସେ କହିଛନ୍ତି।

ସୋନିଆ ମଧ୍ୟ ପାଇଲଟ୍‌ ଏବଂ ତାଙ୍କ ଗୋଷ୍ଠୀଙ୍କ ଅଭିଯୋଗ ଶୁଣିବାପାଇଁ ଏବଂ ଏହାର ସମାଧାନ କରିବାପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧି, ଅହମଦ ପ‌ଟେଲ୍‌ ଏବଂ କେସି ବେଣୁଗୋପାଳଙ୍କୁ ନେଇ ଏହି କମିଟି ଗଠନ ହେବ । ପାଇଲଟ୍‌ ତାଙ୍କର ଏହି ଘୋଷଣା ସହ କହିଛନ୍ତି ଯେ, ସେ କେବେ ବି ବିଜେପିରେ ଯୋଗ ଦେବେନି ବୋଲି ଆରମ୍ଭରୁ କହିଛନ୍ତି ଏବଂ କଂଗ୍ରେସ ସହ ସର୍ବଦା ଅଛନ୍ତି। ଉଲ୍ଲେଖଯୋଗ୍ୟ ଗେହଲଟ୍‌ ପାଇଲଟ୍‌ଙ୍କୁ ମୂଲ୍ୟହୀନ ଏବଂ ନିକମା ବୋଲି କହିଥିଲେ ମଧ୍ୟ ପାଇଲଟ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ କି ଗେହଲଟ୍‌ଙ୍କ ବିରୋଧରେ କେବେ କିଛି କହିନଥିଲେ। ତେବେ ସେ ଗୋଟିଏ କଥା କହିଥିଲେ ସତ୍ୟର ଜୟ ହେବ। ପାଇଲଟ୍‌ କ’ଣ ଜୟପୁରରେ ରହି ନିଜ ଦାବି ଏବଂ ଅଭିଯୋଗ ସମ୍ପର୍କରେ ପାର୍ଟି ହାଇକମାଣ୍ଡ୍‌ଙ୍କୁ ଜଣାଇ ପାରିନଥାନ୍ତେ କି ବୋଲି ଏକ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ‘ଯେତେବେଳ ଜୟପୁରରୁ କିଛି ଜବାବ ମିଳିଲାନି ସେ ସମୟରେ ମୁଁ କ’ଣ କରିଥାନ୍ତି। ’

ସମ୍ବନ୍ଧିତ ଖବର