ମୋ’ ଭଉଣୀର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ମୁଁ ଖୁସି: ନବୀନ

ନୂଆଦିଲ୍ଲୀ : ମୋ ଭଉଣୀ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ମୁଁ ବହୁତ ଖୁସି। ସେ ମୋତେ ରାକ୍ଷୀ ବାନ୍ଧିଥିବାରୁ ଭାଇ ବୋଲି ଡାକନ୍ତି। ଜଣେ ଓଡ଼ିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ସେ ଗର୍ବିତ। ଆଜି ଓଡ଼ିଶା ଓ ସାରା ଦେଶ ପାଇଁ ଗୌରବର ଦିନ। ସେ ବହୁତ ଖୁସି ଅନୁଭବ କରୁଛନ୍ତି ‌ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପରେ ଏହା ଥିଲା ଶ୍ରୀ ପଟ୍ଟନାୟକଙ୍କ ପ୍ରତିକ୍ରିୟା।

ସଂସଦ ଭବନର କେନ୍ଦ୍ରୀୟ ହଲ୍‌ରେ ସୋମବାର ଦିନ ରାଷ୍ଟ୍ରପତି ଭାବେ ଶପଥ ‌ନେଇଥିଲେ ଶ୍ରୀମତୀ ମୁର୍ମୁ। ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ସହ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାଙ୍କୁ ଏଥିପାଇଁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା। ସମାରୋହର ପ୍ରଥମ ଧାଡ଼ିରେ ସେ ବସିଥିଲେ। ଉତ୍ସବରେ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା। ଶ୍ରୀମତୀ ମୁର୍ମୁଙ୍କ ଶପଥ ଗ୍ରହଣ ଓ ରାଷ୍ଟ୍ରପତି ଭାବେ ଉଦ୍‌ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବାରମ୍ବାର କରତାଳି ଦେଇଥିଲେ।

ଶପଥ ‌ଗ୍ରହଣ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଞ୍ଚ ତଳକୁ ଓହ୍ଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ଅତିଥିମାନଙ୍କୁ ନମସ୍କାର କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଆସି ନମସ୍କାର କରିବା ସହ କିଛି କହୁଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁଙ୍କ ସହିତ କରମର୍ଦ୍ଦନ କରିଥିଲେ।

ସମାରୋହରେ ଓଡ଼ିଶାର ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେଡି, ବିଜେପି ଓ କଂଗ୍ରେସ ସାଂସଦମାନେ ଯୋଗ ଦେଇଥିଲେ। ଏଥିରେ ମୟୂରଭଞ୍ଜ ଜିଲ୍ଲାର ଛଅ ବିଜେପି ବିଧାୟକ ଭାସ୍କର ମଢ଼େଇ, ନବ ଚରଣ ମାଝୀ, ପ୍ରକାଶ ସୋରେନ, ସନାତନ ବିଜୁଳି, ବୁଧନ ମୁର୍ମୁ ଓ ଗଣେଷ ରାମସିଂହ ଖୁଣ୍ଟିଆ ଉପସ୍ଥିତ ଥିଲେ। ଏମାନଙ୍କ ବାଦ୍‌ ସମାରୋହରେ ଶ୍ରୀମତୀ ମୁର୍ମୁଙ୍କ ପରିବାର ସଦସ୍ୟ, ତାଙ୍କ ଭାଇ ତରଣୀସେନ ଟୁଡ଼ୁ, ଭାଉଜ ସାକ୍ରମଣି ଟୁଡୁ, ଝିଅ ଇତିଶ୍ରୀ, ପରିବାରର ଅନ୍ୟ ସଦସ୍ୟ, ସହପାଠୀ ଓ ବନ୍ଧୁ ପରିଜନଙ୍କୁ ମିଶାଇ ୪୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର