ଇନ୍ଦିରା ଗାନ୍ଧିଙ୍କ ନାତୁଣୀ କହି ଧମକାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଶିଶୁ ଆଶ୍ରୟଗୃହରେ ଦୁଇ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି ବୋଲି ଅଭିଯୋଗ ଆଣିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସରକାର ନୋଟିସ୍ ଜାରି କରିବା ପରେ ସେ ସରକାରଙ୍କୁ ପରୋକ୍ଷରେ ଧମକାଇଛନ୍ତି। ମୁଁ ସତ୍ୟର ପର୍ଦ୍ଦାଫାସ କରିବି ଏବଂ ସରକାର ମୋ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି। ନିଜକୁ ଇନ୍ଦିରା ଗାନ୍ଧିଙ୍କ ନାତୁଣୀ ବୋଲି ବର୍ଣ୍ଣନା କରି ‘ମୁଁ କୌଣସି ବିରୋଧ ଦଳର ନେତା ନୁହେଁ କି ବିଜେପିର କୌଣସି ଅଘୋଷିତ ମୁଖପାତ୍ର ନୁହେଁ ଯେ ଏଥିରେ ଡରିଯିବି’ ବୋଲି ସେ ଟ୍ବିଟରରେ କହିଛନ୍ତି। ୧୯୭୫ ଜୁନ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି ଜାରି କରି ଅନେକ ନେତାଙ୍କର ସ୍ବାଧୀନତା କ୍ଷୁଣ୍ଣ କରିବା ଘଟଣାର ୪୫ ବର୍ଷ ପୂର୍ତ୍ତିର ଦିନକ ପରେ ପ୍ରିୟଙ୍କାଙ୍କ ଏଭଳି ଟ୍ବିଟ୍‌ ନାନା ଗୁଞ୍ଜରଣ ସୃଷ୍ଟି କରିଛି। ଦେଶର ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କରି ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଗୋଟିଏ ପରିବାର ରାତାରାତି ଦେଶକୁ ଏକ ବନ୍ଦୀଶାଳା କରିଦେଇଥିଲା। ଏ ଅବସରରେ ଉତ୍ତରପ୍ରଦେଶ ସରକାର କରିଥିବା ନୋଟିସ୍‌ ପରିପ୍ରେକ୍ଷୀରେ ପ୍ରିୟଙ୍କା ସରକାରଙ୍କୁ ଆକ୍ଷେପ କରି, ବିଭିନ୍ନ ବିଭାଗ ତାଙ୍କୁ ଧମକାଇ ଅଯଥାରେ ସମୟ ନଷ୍ଟ କରୁଛନ୍ତି ବୋଲି ହିନ୍ଦୀରେ ଟ୍ବିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର