ସିମଳା: ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ସେ ନିଜକୁ ୧୩୦ କୋଟି ନାଗରିକଙ୍କ ଜଣେ ପରିବାର ସଦସ୍ୟ ଭାବେ ବିବେଚନା କରନ୍ତି। କେବଳ ଫାଇଲରେ ଦସ୍ତଖତ କରିବା ସମୟରେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥାନ୍ତି। ସେହି ମୁହୂର୍ତ୍ତ ବିତିଯିବା ପରେ ସେ ଆଉ ପ୍ରଧାନମନ୍ତ୍ରୀ ହୋଇ ରହି ନ ଥାନ୍ତି, ବରଂ ସବୁ ଦେଶବାସୀଙ୍କ ପରିବାର ସଦସ୍ୟ ଏବଂ ୧୩୦ କୋଟି ଭାରତୀୟଙ୍କ ପ୍ରଧାନ ସେବକ ହୋଇଯାଆନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ସିମଲା ଠାରେ ‘ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତକାଲି ସେ ପିଲାଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ, କରୋନା ମହାମାରୀ କାରଣରୁ ଅନାଥ ହୋଇଥିବା ପିଲାଙ୍କର ଦାୟିତ୍ବ ଗ୍ରହଣ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ହିମାଚଳ ପ୍ରଦେଶ ତାଙ୍କର କର୍ମଭୂମି ହୋଇ ରହିଆସିଛି। ଏଥିପାଇଁ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ପରାମର୍ଶକୁ ସେ ତୁରନ୍ତ ଗ୍ରହଣ କରି ନେଇଥିଲେ। ସେ କହିଥିଲେ ଯେ, ଯଦି ମୁଁ ଦେଶ ପାଇଁ କିଛି କରିପାରୁଛି ତା’ହେଲେ ଏହା ୧୩୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ଓ ଶୁଭକାମନା କାରଣରୁ ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଥିଲେ- ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ପାଇଁ କାର୍ଯ୍ୟ ଜାରି ରଖିବି।
ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ସରକାର ଦୁର୍ନୀତିକୁ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ନେଇଥିଲା। ଦୁର୍ନୀତି ବିରୋଧରେ ଲଢ଼ିବା ପରିବର୍ତ୍ତେ ସରକାର ମଥାନତ କରି ଦେଇଥିଲା। ସେତେବେଳେ ସରକାରୀ ଯୋଜନାର ଅର୍ଥ ଲୋକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ବାଟମାରଣା ହୋଇଯାଉଥିଲା। ଆଜି ଜନଧନ, ଆଧାର ଏବଂ ମୋବାଇଲ (ଜେଏଏମ୍) ତ୍ରିମୂର୍ତ୍ତି କାରଣରୁ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚି ପାରୁଛି। ପୂର୍ବରୁ ରୋଷେଇ ଘରେ ଧୂଆଁର ସମ୍ମୁଖୀନ ହେବା ଲାଗି ମହିଳାମାନେ ବାଧ୍ୟ ହେଉଥିଲେ। ଆଜି ଉଜ୍ଜ୍ବଳା ଯୋଜନା ଆସିବା ଫଳରେ ଏଲପିଜି ସିଲିଣ୍ଡର ନେବାର ସୁବିଧା ମିଳୁଛି। ପୂର୍ବରୁ ଖୋଲାରେ ଶୌଚ ହେବା କାରଣରୁ ଲଜ୍ଜାଜନକ ପରିସ୍ଥିତି ଦେଖାଦେଉଥିଲା, ଏବେ ଗରିବଙ୍କ ପାଇଁ ଶୌଚାଳୟର ସମ୍ମାନ ମିଳିଛି। ପୂର୍ବରୁ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାର ବାଧ୍ୟବାଧକତା ରହିଥିଲା, ଆଜି ଗରିବଙ୍କୁ ଆୟୁଷ୍ମାନ ଭାରତର ସାହାରା ମିଳୁଛି। ପୂର୍ବରୁ ତିନି ତଲାକର ଭୟ ଥିଲା, ଏବେ ହକ୍ ପାଇଁ ଲଢ଼ିବାର ସାହସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଲୋକମାନଙ୍କ ପାଇଁ ସରକାରର ଅର୍ଥ ବଦଳାଇ ଦେଇଛି। ଏବେ ସରକାର ଜନତାଙ୍କ ପାଇଁ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ, ଛାତ୍ରବୃତ୍ତି କିମ୍ବା ପେନସନ ଯୋଜନା, ଜ୍ଞାନକୌଶଳ ସହାୟତାରେ ଦୁର୍ନୀତିର ସୁଯୋଗ ହ୍ରାସ ପାଇଛି। ସରକାର ସେସବୁ ସମସ୍ୟାର ସ୍ଥାୟୀ ସମାଧାନ ଆଣିବା ଲାଗି ପ୍ରୟାସ କରୁଛନ୍ତି, ଯେଉଁ ସମସ୍ୟାକୁ ପୂର୍ବରୁ ସ୍ଥାୟୀ ବୋଲି ଗ୍ରହଣ କରାଯାଉଥିଲା। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ତାଲିକାରୁ ୯ କୋଟି ଜାଲ୍ ନାଁକୁ ବାଦ୍ ଦେଇ ସେଥିରେ ଚୋରି ଏବଂ କୌଣସି ପ୍ରକାର ଲିକ୍ ପ୍ରୟାସକୁ ସମାପ୍ତ କରାଯାଇଛି ବୋଲି ମୋଦୀ କହିଥିଲେ। ସେ କହିଥିଲେ ଯେ ଭୋଟ୍ ବ୍ୟାଙ୍କ ରାଜନୀତି ଆମ ଦେଶରେ ବହୁ ଦଶନ୍ଧି ଧରି ଚାଲି ଆସିଛି ଏବଂ ଏହାଦ୍ବାରା ଦେଶ ଅନେକ କ୍ଷତି ସହିଛି। କିନ୍ତୁ ଆମେ ଭୋଟ୍ ବ୍ୟାଙ୍କ ନୁହେଁ, ନୂତନ ଭାରତ ନିର୍ମାଣ ପାଇଁ କାମ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦେଶର ବର୍ଦ୍ଧିତ ସମ୍ମାନ ଉପରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବେ ନାଚାର ହୋଇ ବନ୍ଧୁତାର ହାତ ବଢ଼ାଉନାହିଁ ବରଂ ସହାୟତା ପାଇଁ ଅନ୍ୟ ଦେଶକୁ ହାତ ବଢ଼ାଉଛି। କରୋନା କାଳରେ ଆମେ ୧୫୦ରୁ ଅଧିକ ଦେଶକୁ ଔଷଧ ଏବଂ ଟିକା ପହଞ୍ଚାଇଛୁ। ସେ କହିଥିଲେ ଯେ ଆମ କ୍ଷମତା ଆଗରେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ। ଆଜି ଭାରତ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। ଆଜି ଭାରତରେ ରେକର୍ଡ ବିଦେଶୀ ନିବେଶ ହେଉଛି, ଦେଶ ରପ୍ତାନି କ୍ଷେତ୍ରରେ ରେକର୍ଡ କରୁଛି। ସମସ୍ତେ ଆଗେଇ ଆସିବା ଦରକାର ଏବଂ ଆମ ଦେଶର ପ୍ରଗତି ଯାତ୍ରାରେ ନିଜର ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଦେଶରେ ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଛି। ଏହି ସମ୍ମିଳନୀ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀଙ୍କ ସହିତ ଜନ ପ୍ରତିନିଧିମାନେ ଆଲୋଚନା କରିଥିଲେ। ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କଠାରୁ ମତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ଏକାଦଶ କିସ୍ତି ଜାରି କରିଥିଲେ। ୧୦ କୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ପ୍ରାୟ ୨୧ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପିଏମ୍ କିଷାନ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଥିଲେ। ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲକେର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରମୁଖ ସିମଲାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।