ସାମ୍ନାକୁ ଆସିଲା ଲିଙ୍ଗାୟତ ସାଧୁଙ୍କ କଳା କାରନାମା; ନିଜେ ମଦ୍ୟପାନ କରି ନାବାଳିକାଙ୍କୁ ନିଶାଯୁକ୍ତ ଚକୋଲେଟ ଦେଇ କରୁଥିଲେ ଦୁଷ୍କର୍ମ

ବେଙ୍ଗାଲୁରୁ: ‘ସେ ମୋତେ ନିଶାଯୁକ୍ତ ଚକୋଲେଟ ଖାଇବାକୁ ଦେଉଥିଲେ! ଚକୋଲେଟ ଖାଇ ଅଚେତ ହୋଇଯିବା ପରେ ସେ ମୋ ସହ ଦୁଷ୍କର୍ମ କରୁଥିଲେ!’

‘ମୋତେ ବଳପୂର୍ବକ ପାଖରେ ବସାଇ ମଦ୍ୟପାନ କରୁଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ମୋତେ ଯୌନ ନିର୍ଯାତନା ଦେଉଥିଲେ!’

‘ସେ ୱାର୍ଡେନଙ୍କୁ ନିୟମିତ ଭାବେ ଝିଅମାନଙ୍କୁ ତାଙ୍କ କୋଠରିକୁ ପଠାଇବାକୁ ବାଧ୍ୟ କରୁଥିଲେ!’…

ଏହିପରି କିଛି ସଙ୍ଗୀନ ଅଭିଯୋଗ କର୍ଣ୍ଣାଟକର ଅନ୍ୟତମ ପ୍ରଭାବଶାଳୀ ଲିଙ୍ଗାୟତ ସାଧୁ ୬୪ ବର୍ଷ ବୟସ୍କ ଶିବମୂର୍ତ୍ତି ଶରାନାରୁଙ୍କ ବିରୋଧରେ ଆଜି ଏକ ସ୍ଥାନୀୟ ଅଦାଲତର ବିଚାରପତିଙ୍କ ସମ୍ମୁଖରେ ଦୁଷ୍କର୍ମ ପୀଡ଼ିତା ନାବାଳିକା ବୟାନ କରିବା ପରେ ଅଭିଯୁକ୍ତ ଲିଙ୍ଗାୟତ ସାଧୁଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରି ଦେଇଛନ୍ତି ବିଚାରପତି। ଫଳରେ ଆଉ ଏକ ସପ୍ତାହ ଜେଲରେ ରହିବେ ଅଭିଯୁକ୍ତ ଲିଙ୍ଗାୟତ ସାଧୁ।

ଏହି ମାମଲାର ଶୁଣାଣି କାଳରେ ତଦନ୍ତକାରୀ ପୁଲିସ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସାଧୁଙ୍କ ବିରୋଧରେ ଏହିପରି ଅଭିଯୋଗ କରିଛନ୍ତି ୧୫ ଏବଂ ୧୬ବର୍ଷ ବୟସ୍କା ଦୁଇ ନାବାଳିକା ପୀଡ଼ିତା। ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଚିତ୍ରଦୁର୍ଗାର ମୁରୁଗା ମଠ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଏହି ସାଧୁ ଗତ ସେପ୍ଟେମ୍ବର ୧ ତାରିଖରୁ ଜେଲରେ ଅଛନ୍ତି।

ଆଜି ଏହି ମାମଲାର ଶୁଣାଣି କାଳରେ  ବିଚାରପତତିଙ୍କ ସମ୍ମୁଖରେ ନିଜର ବୟାନ ଦେଇ ଦୁଷ୍କର୍ମ ପୀଡ଼ିତା କହିଛନ୍ତି, ‘ମୁଁ ତାଙ୍କୁ ଅନୁରୋଧ କରି କହିଲି, ଆମେ ଗରିବ ପରିବାରର ପିଲା! ଆମକୁ ଛାଡ଼ିଦିଅନ୍ତୁ! କିନ୍ତୁ ସେ କିଛି ଶୁଣିବା ସ୍ଥିତିରେ ନଥିଲେ। ସେ ବଳପୂର୍ବକ ନିଶାମିଶା ଚକୋଲେଟ୍‌ ଖୁଆଇ ଦେଉଥିଲେ। ସେଗୁଡିକ ଖାଇବା ପରେ, ମୁଁ ଚେତାଶୂନ୍ୟ ହୋଇ ଯାଉଥିଲି। ପରେ ସେ ମୋର ଦୁଷ୍କର୍ମ କରୁଥିଲେ! ଉଠିଲା ପରେ ମୁଁ ନିଜକୁ ଉଲଗ୍ନ ଅବସ୍ଥାରେ ପାଉଥିଲି’।

ଅନ୍ୟ ଜଣେ ୧୬ ବର୍ଷ ବୟସ୍କା ପୀଡ଼ିତା, ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କହିଛନ୍ତି, ‘ତାଙ୍କୁ ଏକାଧିକ ଥର ଯୌନ ଶୋଷଣ କରାଯାଇଥିଲା ଏବଂ ଛୁରୀ ମୁନରେ ଧମକ ଦିଆଯାଇଥିଲା। ୱାର୍ଡେନ ରଶ୍ମି ମୋତେ ଏକ ପଛ ଦ୍ୱାର ଦେଇ ସ୍ୱାମୀଙ୍କ କୋଠରିକୁ ପଠାଇଥିଲେ। ଯେତେବେଳେ ମୁଁ ପ୍ରବେଶ କଲି, ମୁଁ ଦେଖିଲି ସେ ମଦ୍ୟପାନ କରୁଛନ୍ତି। ସେ ମୋତେ ଫଳ ଖାଇବାକୁ ଦେଲେ। ଫଳ ଖାଇବା ପରେ  ମୁଁ ଚେତାଶୂନ୍ୟ ହୋଇଗଲି। ଯେତେବେଳେ ମୁଁ ଚେତା ଫେରିଲି, ମୋ ଶରୀରରେ କୌଣସି ପୋଷାକ ନଥିଲା। ଯେତେବେଳେ ମୁଁ ସହଯୋଗ କରିବାକୁ ମନା କରିଦେଲି ସେତେବେଳେ ସେ ମୋତେ ଛୁରୀ ମୁନରେ ଧମକ ଦେଇଥିଲେ’ ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ଛାତ୍ରୀ ସ୍ୱାମୀଙ୍କ କୋଠରିକୁ ଯିବାକୁ ମନା କରନ୍ତି, ତେବେ ୱାର୍ଡେନ ରଶ୍ମି ସେମାନଙ୍କୁ ପଟନ୍ତି। ଏବେ ୨୬ ବର୍ଷ ବୟସ୍କା ଓ୍ଵାର୍ଡେନ ରଶ୍ମି ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।

ଅନୁସନ୍ଧାନର ନେତୃତ୍ୱ ନେଇଥିବା ଚିତ୍ରଦୁର୍ଗା ଆରକ୍ଷୀ ଅଧୀକ୍ଷକ କେ ପରଶୁରାମ ମଧ୍ୟ ପୀଡ଼ିତାମାନଙ୍କର ଅଭିଯୋଗର ସତ୍ୟତା ରହିଥିବା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର